୧୫୦ ଫୁଟ ଖାଇକୁ ଖସିଲା ବସ୍; ୧୫ ମୃତ, ୩୦ରୁ ଅଧିକ ଯାତ୍ରୀ ଆହତ

ଜମ୍ମୁ-କାଶ୍ମୀରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଜମ୍ମୁର ଅଖନୁରରେ ଘାଟିରୁ ପ୍ରାୟ ୧୫୦ ଫୁଟ ତଳ ଖାଇକୁ ବସଟି ଖସିପଡ଼ିବାରୁ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ୫୦ ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍ ରାଏସି ଜିଲ୍ଲାର ପ୍ରସିଦ୍ଧ ଶିବ ଖୋରି ମନ୍ଦିରକୁ ଯାଉଥିଲେ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାର ତୀର୍ଥଯାତ୍ରୀ ଥିଲେ।

ଅଖନୁରର ଏକ ଘାଟି ନିକଟରେ ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୧୫ ଜଣଙ୍କ ମୃତ୍ୟୁ ଘଟିଛି।

ଖବର ପାଇ ଉଦ୍ଧାରକାରୀ ଟିମ୍ ୩୦ ଜଣଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅନ୍ୟ ପାଞ୍ଚ ଜଣଙ୍କ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରିନାହିଁ। ଖବର ଲେଖା ହେବା ସୁଦ୍ଧା ଉଦ୍ଧାରକାର୍ଯ୍ୟ ଜାରି ରହିଥିଲା।