ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ

ବିଜେଡି ଛାଡ଼ିଲେ ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ଦଳ ସଭାପତିଙ୍କୁ ଇସ୍ତଫା ପତ୍ର ଦେଇ ଦଳ ଛାଡିଛନ୍ତି ସିମୁଳିଆ ବିଧାୟକ। ଭିଡିଓ ବାର୍ତ୍ତାରେ ଦେଲେ ସୂଚନା ।

ସିମୁଳିଆ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି ଜ୍ୟୋତିପ୍ରକାଶ । ଏହାସହିତ ନିଜର ଏକ୍ସ ହ୍ୟାଣ୍ଡେଲରେ ଏନେଇ ସେ ଏକ ଭିଡିଓ ବାର୍ତ୍ତା ଜାରି କରି ସୂଚନା ଦେଇଛନ୍ତି । ଯେଉଁଥିରେ ଦଳରୁ ଇସ୍ତଫା ବାର୍ତ୍ତା ଦେବା ସହ ସେ କହିଛନ୍ତି ‘ମୁଁ ସିମୁଳିଆ ଓ ଖଇରାବାସୀଙ୍କ ସେବାରେ ଥିଲି ଓ ଆଗକୁ ମଧ୍ୟ ରହିବି ।’

ସୂଚନାଯୋଗ୍ୟ, ପୂର୍ବରୁ ମଧ୍ୟ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଟିକେଟ ନମିଳିବାରୁ ନିକଟ ଅତୀତରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ସୋର ବିଧାୟକ ପର୍ଶୁରାମ ଧଡା ବିଜେଡିରୁ ଟିକେଟ ନ ପାଇବାରୁ ବିଜେପିରେ ଯୋଗ ଦେବା ପରେ ବିଜେପି ତାଙ୍କୁ ସୋର ବିଧାୟକ ପ୍ରାର୍ଥୀ କରିଛି । ଅନ୍ୟପଟେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ମଧ୍ୟ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ଏହାକୁ ନେଇ ଦଳ ବିରୋଧୀ ନିରୋଧ ଆଇନ ଅନୁଯାୟୀ ଏହି ୪ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିବାକୁ ପିଟିସନ ଦାଖଲ କରାଯାଇଛି । ଯାହାକୁ ନେଇ ଜବାବ ତଲବ ନୋଟିସ୍ ଜାରି କରିଛନ୍ତି ବିଧାସସଭା ସଚିବ ।