ଭୁବନେଶ୍ବର : ପୁଣି ଜଣେ ନାବାଳିକା ଦୁଷ୍କର୍ମ ଓ ହତ୍ୟାର ଶିକାର । ରଜରେ ସାରା ରାଜ୍ୟ ମଉଜ କରୁଥିବା ବେଳେ ପ୍ରାଣ ହରାଇଛି ବେତନଟୀ ଗରୁଡ଼ବସା ଗାଁର ଜଣେ ଆଦିବାସୀ ନାବାଳିକା ଜଙ୍ଗଲ ଭିତରେ ପଡ଼ିଛି ଜଣେ ନାବାଳିକା ଝିଅର ମୃତଦେହ । ରଜ ପାଇଁ ସେ ନୂଆ ଡ୍ରେସ୍ ପିନ୍ଧିଥିଲା । ଖୁସି ମନରେ ଗାଁ ଦାଣ୍ଡରେ ବଲୁଥିଲା । ହେଲେ ଆଜି ମିଳିଛି ତାର ମୃତଦେହ । ମୟୂରଭଞ୍ଜ ବେତନଟୀ ଥାନା ଅନ୍ତର୍ଗତ ଗରୁଡ଼ବସା ଗାଁର ଏ ମାଆ ଛେଉଣ୍ଡ କୁନି ଝିଅଟିକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ସେହି ଗାଁର ଜାମିନୀକାନ୍ତ ମହାନ୍ତ ନାମକ ଜଣେ ଯୁବକ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ସେ ହିଁ ତାକୁ ମାରି ଦେଇଥିବା ମାନିଛି ।
କାଲି ଥିଲା ମଝି ରଜ । ଝିଅଟି ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଜାମିନୀକାନ୍ତ ତାକୁ ସାଇକେଲ ଶିଖାଇଦେବ କହି ଡାକି ନେଇଥିଲା । ହେଲେ ଜଙ୍ଗଲକୁ ଡାକି ନେଇ ଦୁଷ୍କର୍ମ ପରେ ମାରି ଦେଲା । ଅଭିଯୁକ୍ତ ନିଜେ ଘରକୁ ଫେରିଥିବା ବେଳେ ଝିଅ କୁଆଡ଼େ ଗଲା ବୋଲି ତାର ଭାଇ ପଚାରିଥିଲେ । ହେଲେ ଅଭିଯୁକ୍ତ କହିଲା, ମୁଁ ତାକୁ ଛାଡ଼ିଦେଲି । ସେ ସେଇଠୁ ପଳାଇ ଆସିଲା । ଆଜି ଜଙ୍ଗଲରୁ ମୃତଦେହ ମିଳିବା ପରେ ଉତ୍ତେଜନା ଦେଖା ଦେଇଥିଲା । ପୋଲିସ୍ ଘଟଣାର ତଦନ୍ତ କରୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ଲୋକେ ଛାଡୁ ନଥିଲେ । ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରୁଥିଲେ । ରାଜ୍ୟ ସରକାର ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା ସହ ଫାଷ୍ଟ ଟ୍ରାକ୍ କୋର୍ଟରେ ଘଟଣାର ତଦନ୍ତ ହେବ ବୋଲି କହିବା ପରେ ଲୋକେ ପୋଲିସ ତଦନ୍ତରେ ସହଯୋଗ କରିଛନ୍ତି ।
ନାବାଳିକାଙ୍କ ପ୍ରତି ବଢୁଥିବା ଦୁଷ୍କର୍ମ ରୋକିବାକୁ ରାଜ୍ୟ ପୋଲିସ୍ ପରୀ ପାଇଁ କଥାଟିଏ ସଚେତନତା କାର୍ଯ୍ୟକ୍ରମ ଚଳାଇଛି । ସେହିଭଳି ଅଶ୍ଳୀଳ ଭାଇରାଲ୍ ଉପରେ ରୋକ୍ ଲଗାଇବାକୁ ଦୁର୍ବୃତ୍ତଙ୍କୁ ଚେତାବନୀ ଦେଇଛି ପୋଲିସ୍ । କିନ୍ତୁ କିଛି ବନ୍ଦ ହେଉନି ।