ଅପର ଏଆର୍ ଟ୍ରଫ୍ ଫଳରେ ଓଡ଼ିଶାରେ ଅକ୍ଟୋବର ୧୨ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା: ସିଇସି

ଭୁବନେଶ୍ୱର : ଉତର ଭାରତ ଉପରେ ଏକ ଅପର ଏଆର ଟ୍ରଫ୍ ରହିଥିବା ଫଳରେ ଓଡ଼ିଶାରେ ଆସନ୍ତା ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଅଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ଗୁରୁବାର କୁହାଯାଇଛି ।
ଏହି ବର୍ଷା ମଝିରେ ମଝିରେ ହେବ ଓ ବେଳେ ବେଳେ ୨୦-୨୫ ମିନିଟ ନିମନ୍ତେ ପ୍ରବଳ ବେଗରେ ହୋଇପାରେ ।
ଏହି ଟ୍ରଫ୍ ଯୋଗୁଁ ବଙ୍ଗୋପ ସାଗର ଆଡୁ ମଧ୍ୟ ଭାରତ ଆଡକୁ ଦକ୍ଷିଣ-ପୂର୍ବ ଦିଗରେ ପବନ ପ୍ରବାହିତ ହେଉଛି ଓ ଏହା ଫଳରେ ସମୁଦ୍ରରୁ ପ୍ରଚୁର ଜଳୀୟ ବାଷ୍ପ ଓଡ଼ିଶା ଉପକୂଳ ଦେଇ ଭୂଖଣ୍ଡ ଆଡକୁ ଆସୁଛି ବୋଲି ସିଇସି ବୁଲେଟିନ୍ ପ୍ରକାଶ କରିଛି । ଏହା ଫଳରେ ଏ ବର୍ଷ ଶୀତ ବିଳମ୍ବରେ ଆସିପାରେ ।
ଏହି ସମୟରେ ବର୍ଷାର ତୀବ୍ରତା ଉପକୂଳ ଜିଲ୍ଲାଗୁଡ଼ିକରେ ଅଧିକ ଅନୁଭୂତ ହୋଇପାରେ ଏବଂ ଏହି ଅଂଚଳ ତଥା ନିକଟବର୍ତୀ ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୬୫ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ । ମାତ୍ର ଅତି ମାତ୍ରାରେ ବର୍ଷାର ବିଶେଷ ସମ୍ଭାବନା ନାହିଁ ବୋଲି ବୁଲେଟିନ୍ କହିଛି ।