ନାଲକୋକୁ ବିଶ୍ୱସ୍ତରୀୟ ‘ଗୋଲ୍ଡେନ୍ ପିକକ୍ ପରିବେଶ ପରିଚାଳନା ପୁରସ୍କାର’

ଭୁବନେଶ୍ୱର : ପରିବେଶ ପରିଚାଳନା ଦିଗରେ ବିଶ୍ୱସ୍ତରରେ ମାନ୍ୟତା ହାସଲ କରି ଔଦ୍ୟୋଗିକ ବିକାଶ ସହ ନିରନ୍ତର ପ୍ରଗତିକୁ ସୁନିଶ୍ଚିତ କରିବା ପାଇଁ ନ୍ୟାସ୍ନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ) କୁ ୨୦୧୯ ପାଇଁ ‘ଗୋଲ୍ଡେନ୍ ପିକକ୍ ପରିବେଶ ପରିଚାଳନା ପୁରସ୍କାର’ ମିଳିଛି । ଏକବିଂଶତମ ପରିବେଶ ପରିଚାଳନା ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱ ସମାବେଶ ଅବସରରେ ନାଲକୋକୁ ଏହି ପୁରସ୍କାର ଦିଆଯାଇଛି । କୋରାପୁଟ ଜିଲ୍ଲାରେ ଅବସ୍ଥିତ ପଞ୍ଚପଟ୍ଟମାଳୀ ବକ୍ସାଇଟ୍ ଖଣି ପରିବେଶ ପରିଚାଳନା ଓ ସଂରକ୍ଷଣ କ୍ଷେତ୍ରରେ ଏବଂ ଗୋଷ୍ଠୀ ବିକାଶ ତଥା ଅଂଶୀଦାରମାନଙ୍କ ନିରନ୍ତର ଉନ୍ନତି ଦିଗରେ ମଧ୍ୟ ଏହି ପୁରସ୍କାର ଲାଭ କରିଛି । ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଡ. ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ବିଚାରକମଣ୍ଡଳୀ ଦ୍ୱାରା ନାଲକୋକୁ ଏହି ପୁରସ୍କାରର ବିଜେତା ଘୋଷିତ କରାଯାଇଥିଲା । ୟୁଏଇ କ୍ୟାବିନେଟ୍ ସଦସ୍ୟ ତଥା ଜଳବାୟୁ ପରିବର୍ତ୍ତନ ଓ ପରିବେଶ ମନ୍ତ୍ରୀ ଡ. ଥାନୀ ବିନ୍ ମହମ୍ମଦଙ୍କ ଠାରୁ ନାଲକୋ ଏହି ପୁରସ୍କାର ଓ ମାନପତ୍ର ଗ୍ରହଣ କରିଥିଲା । ୧୯୯୧ରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସ୍ ଦ୍ୱାରା ପ୍ରଦାନ କରାଯାଉଥିବା ଏହି ଗୋଲ୍ଡେନ୍ ପିକକ୍ ପୁରସ୍କାର ବିଶ୍ୱସ୍ତରୀୟ ଔଦ୍ୟୋଗିକ ଉକ୍ରର୍ଷତା ପାଇଁ ମାନ୍ୟତା ହାସଲ କରିଛି । ଏହି ଅବସରରେ ପରିବେଶ ପରିଚାଳନା କ୍ଷେତ୍ରରେ ନିରନ୍ତରତା ବଜାୟ ରଖିବା ପାଇଁ ନାଲକୋ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ନାଲକୋ ସମୁଦାୟକୁ ଅଭିନନ୍ଦନ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ନାଲକୋର ପଞ୍ଚପଟ୍ଟ ମାଳୀ ବକ୍ସାଇଟ୍ ଖଣି ଭାରତ ସରକାରଙ୍କ ଠାରୁ ୫ ଷ୍ଟାର୍ ରେଟିଂ ହାସଲ କରିବା ସହିତ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ପକ୍ଷରୁ ବନୀକରଣ ଏବଂ ବର୍ଜ୍ୟଭୂମିର ବିକାଶ ପାଇଁ ନାଲକୋକୁ ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷମିତ୍ର ପୁରସ୍କାର ଓ ପରିବେଶ ପରିଚାଳନା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ଇନ୍ଦିରା ଗାନ୍ଧୀ ପର୍ଯ୍ୟାବରଣ ପୁରସ୍କାର ମିଳିସାରିଛି । ଏହାବାଦ୍ କମ୍ପାନୀ ଓ ଏହାର ବିଭିନ୍ନ ୟୁନିଟ୍କୁ ପ୍ରଦୂଷଣ ନିୟନ୍ତ୍ରଣ, ନିରାପତ୍ତା ଏବଂ ପରିବେଶ ପରିଚାଳନା ପାଇଁ ବିଭିନ୍ନ ସମୟରେ ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ ପୁରସ୍କାର ମିଳିଛି ।