ଅମ୍ବାନୀ ଆଉ ମିତଲଙ୍କ ଚାକିରୀ ଯିବ !

ନୂଆଦିଲ୍ଲୀ : କେବଳ ଭାରତ ନୁହେଁ ଏସିଆର ଧନି ତାଲିକାରେ ଥିବା ରିଲାଏନ୍ସର ମାଲିକ ମୁକେଶ ଅମ୍ବାନୀ ଓ ଏୟାରଟେଲ ମାଲିକ ସୁନୀଲ ମିତଲଙ୍କ ଚାକିରୀ ଚାଲିଯିବ । ସେବିର ନୂଆ ନିୟମ ଏହି ଦୁଇ ଧନିଙ୍କ ଚାକିରୀ ଯିବାର କାରଣ ପାଲଟିବାକୁ ଯାଉଛି । ଆସନ୍ତା ୨୦୨୦ ଏପ୍ରିଲ ପହିଲା ସୁଦ୍ଧା ଏହି ଦୁଇ ଧନୀଙ୍କ ଚାକିରୀ ଯିବା ଏକ ପ୍ରକାର ସ୍ପଷ୍ଟ ହୋିଛି । ଜଣେ ବ୍ୟକ୍ତି ଗୋଟିଏ କମ୍ପାନୀର ସିଏମ୍ଡି ଅର୍ଥାତ ଚେୟାରମ୍ୟାନ୍-କମ୍-ମ୍ୟାନେଜିଂ ଡାଇରେକ୍ଟର ରହିପାରିବେ ନାହିଁ ବୋଲି ସିକ୍ୟୁରିଟି ଆଣ୍ଡ୍ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ନିୟମ କରିବା ପରେ ଏପରି ଘଟିବାକୁ ଯାଉଛି । ଅର୍ଥାତ ଜଣେ ବ୍ୟକ୍ତି ନିଜ ପାଖରେ ଉଭୟ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ପଦବୀ ରଖିପାରିବେ ନାହିଁ । ଏହି ନିୟମ ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଇନ୍ଫୋସିସ୍, ଟିସିଏସ୍, ଭାରତୀ ଏୟାରଟେଲ ଆଦି ୨୯୧ଟି କମ୍ପାନୀଙ୍କୁ ଏହି ନିଷ୍ପତ୍ତି ନେବାକୁ ହେବ । ବର୍ତ୍ତମାନ ଉଭୟ ପଦବୀ ଜଣଙ୍କ ହାତରେ ରହୁଥିବାରୁ ଏହା ବୋର୍ଡ ଏବଂ ପରିଚାଳନା ଭିତରେ ଜଟିଳତା ସୃଷ୍ଟି କରୁଛି । ଅର୍ଥାତ ଗୋଟିଏ କମିଟି ବା କର୍ତ୍ତୃପକ୍ଷଙ୍କ କ୍ଷମତା ଆଉ ଗୋଟିଏ ଉପରେ ଅଯଥା ଚଢ଼ିଯାଉଥିବାରୁ ଏହାକୁ ନେଇ କନ୍ଫ୍ଲିକ୍ଟ ଅଫ୍ ଇେଣ୍ଟ୍ରେଷ୍ଟ ବା ନିଜ ପଦବୀର ଦୁରୁପଯୋଗ କରିବାର ସମ୍ଭାବନା ରହୁଛି । ସେବି ନିୟମ ଅନୁଯାୟୀ ତାଲିକାର ଶ୍ରେଷ୍ଠ ୫୦୦ ସ୍ଥାନରେ ଥିବା କମ୍ପାନୀ ଗୁଡ଼ିକ ଏପରି ଅଧ୍ୟକ୍ଷ ନିଯୁକ୍ତ କରିବେ ଯେ କି ଅଣଅଧିକାରୀ ନିର୍ଦ୍ଦେଶକ ହୋଇଥିବେ । କର୍ପୋରେଟ୍ ପ୍ରଶାସନ ପାଇଁ ଗଠିତ କୋଟାକ୍ କମିଟିର ପ୍ରସ୍ତାବ ଅନୁଯାୟୀ ଏହି ନିର୍ଦ୍ଦେଶ ଫଳରେ ସିଏମ୍ଡି ପଦବୀଟି ଆପେ ଆପେ ଅଲଗା ହୋଇଯିବ ।