ଅଗଷ୍ଟ ୧୬ ପର୍ଯ୍ୟନ୍ତ ବିହାରରେ ବଢ଼ିଲା ଲକଡାଉନ ଅବଧି

ପାଟଣା: ବିହାରରେ କରୋନା ଜୀବାଣୁ ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ନୀତୀଶ ସରକାର ବଡ ନିଷ୍ପତ୍ତି ନେଇଛନ୍ତି । ବିହାରରେ ଆସନ୍ତା ଅଗଷ୍ଟ ୧୬ ପର୍ଯ୍ୟନ୍ତ ଲକଡାଉନ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ସରକାରୀ ବିଜ୍ଞପ୍ତି ଏପର୍ଯ୍ୟନ୍ତ ଜାରି କରାଯାଇ ନାହିଁ । ପୂର୍ବରୁ ବିହାରରେ ୩୧ଜୁଲାଇ ପର୍ଯ୍ୟନ୍ତ ଏହି ଲକଡାଉନ ଲାଗୁ କରାଯାଇଥିଲା, କିନ୍ତୁ ବର୍ତ୍ତମାନ ଏହାର ଅବଧି ୧୬ ଅଗଷ୍ଟକୁ ବୃଦ୍ଧି କରାଯାଇଛି ।

ବାସ୍ତବରେ, ଲକଡାଉନ ଲାଗୁ ହେବା ପରେ ମଧ୍ୟ ବିହାରରେ କରୋନା ସଂକ୍ରମଣ ହାର କମିନାହିଁ ।ରାଜଧାନୀ ପାଟନା ସମେତ ରାଜ୍ୟର ସମସ୍ତ ଜିଲ୍ଲା କରୋନା ସଂକ୍ରମଣରେ ଗୁରୁତର ଭାବରେ ପ୍ରଭାବିତ ହେଉଛି ଏବଂ ପ୍ରତିଦିନ ହାରାହାରି ୮ ରୁ ୧୦ ଜଣ ମୃତ୍ୟୁ ଘଟୁଛି ।

ବିହାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ , ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଭାଇରସ ସଂକ୍ରମଣ ଯୋଗୁଁ ୨୬୯ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ସଂକ୍ରମଣ ହେତୁ ପାଟନାରେ ସର୍ବାଧିକ ୪୧ ଜଣଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ସମୁଦାୟ ୪୩, ୫୯୧ ଜଣ ଲୋକ କରୋନା ଜୀବାଣୁ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି ।