ସିଲ ହେଲା ରବୀନ୍ଦ୍ର ମେଡିକାଲ ହଲ୍‌

ଭୁବନେଶ୍ୱର: ସ୍ଥାନୀୟ ବାପୁଜୀ ନଗରସ୍ଥିତ ରବୀନ୍ଦ୍ର ମେଡିକାଲ ହଲ୍‌କୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଆଜି ସିଲ କରି ଦିଆଯାଇଛି । ଏଠାରୁ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ଅନ୍ୟାଦେଶ ପର୍ଯ୍ୟନ୍ତ ଏହା ବନ୍ଦ ରହିବ । ମେଡିକାଲ ହଲ୍‌ର ୧୩ ଜଣ କର୍ମଚାରୀ ଏବଂ ମାଲିକଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । କ୍ୱାରେଣ୍ଟାଇନ ସମୟରେ କୋଭିଡ-୧୯ ପରୀକ୍ଷା ଲାଗି କୋଭିଡ ଟିମ ସମସ୍ତ କର୍ମଚାରୀଙ୍କର ସ୍ୱାବ ନମୁନା ସଂଗ୍ରହ କରିବେ ।

ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ କେଉଁମାନେ ଆସିଛନ୍ତି, ସେମାନଙ୍କ ସହିତ ଯୋଗାଯୋଗ କରାଯାଉଛି ବୋଲି କହିଛନ୍ତି ବିଏମସି ଇଷ୍ଟ ଜୋନାଲ ଡେପୁଟି କମିସନର (ଜେଡଡିସି) ଅଂଶୁମାନ ରଥ । ଷ୍ଟୋରରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଭୁବନେଶ୍ୱରରର ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅଛନ୍ତି । ତେଣୁ ସେମାନେ କେଉଁଆଡେ ଯାଇଛନ୍ତି, ତାହାର ବିସ୍ତୃତ ବିବରଣୀ ପ୍ରଦାନ କରନ୍ତୁ । ଶ୍ରୀ ରଥ ସୂଚନା ଦେଇଛନ୍ତି ଯେ, ମେଡିସିନ ବିଲରେ ସେମାନଙ୍କର ଫୋନ ନମ୍ବର ଥିବ । ଆମେ ସେମାନଙ୍କର ସହିତ ବ୍ୟକ୍ତିଗତ ଭାବେ ଯୋଗାଯୋଗ କରିବୁ ।

ଶ୍ରୀ ରଥ କହିଛନ୍ତି, ବର୍ତ୍ତମାନ ପରିସ୍ଥିତିରେ ଭୁବନେଶ୍ୱରର ସମସ୍ତ ନାଗରିକଙ୍କର ସ୍ୱାସ୍ଥ୍ୟ ସୁସ୍ଥ ରଖିବା ଆମର ପ୍ରଥମ କାମ । ବର୍ତ୍ତମାନ ସମୟ ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଆମେ ଲୋକଙ୍କୁ ତଥା ବ୍ୟବସାୟୀଙ୍କୁ ଅନୁରୋଧ କରୁଛୁ ଯେ, ସେମାନେ ବିଏମସିର ଏସଓପିକୁ ଗୁରୁତ୍ୱ ଦିଅନ୍ତୁ ।