ବିପଦରେ କାଉଡିଆ : ଜଳ ଲାଗି କରିବାକୁ ଯାଇ ଗଲା ୫ ଜୀବନ

ଭୁବନେଶ୍ବର : ଶ୍ରାବଣର ତୃତୀୟ ସୋମବାର । ବିଭିନ୍ନସ୍ଥାନରେ ଦୁର୍ଘଟଣା ଘଟି ୫ ଜଣ କାଉଡିଆଙ୍କର ମୃତ୍ୟୁ ହୋଇଛି । ରାଉରକେଲାରେ ଟ୍ରେନ୍‌ ମାଡିଯିବାରୁ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁର ତିର୍ତ୍ତୋଲ ଝୁଲାବାବା ମଠ ନିକଟ ମହାନଦୀ ଘାଟରେ ଜଣେ କାଉଡିଆ ନିଖୋଜ ଅଛନ୍ତି । ସେପଟେ କୁଆଖାଇ ବ୍ରିଜ୍‌ ଉପରେ ବାଇକ୍‌ ଧକ୍କାରେ ଜଣେ କାଉଡିଆଙ୍କର ମୃତ୍ୟୁ ହୋଇଛି।…

ବ୍ରାହ୍ମଣୀରୁ ଉଠାଇ ପାରିଲେନି ପାଣି ମହାଦେବଙ୍କୁ ଜଳଲାଗି ଆଗରୁ ଚାଲିଗଲେ ଆରପାରିକୁ । ଟ୍ରେନ ଦୁର୍ଘଟଣା ଛାରଖାର ହୋଇଛି ଗୋଟିଏ ପରିବାର । ଛତିଶଗଡ଼ ଭିଲାଇ ଅଞ୍ଚଳରୁ ଗୋଟିଏ ପରିବାରର ୭ ଜଣ ରାଉରକେଲା ବେଦବ୍ୟାସ ବ୍ରାହ୍ମଣୀ ନଦୀରୁ ପାଣି ଉଠାଇ ଜଳାଭିଷେକ ପାଇଁ ବାହାରିଥିଲେ । ତେବେ ରେଲୱେ ବ୍ରିଜ୍ ଦେଇ ରେଳଲାଇନ୍‌ ଉପରେ ଯାଉଥିବା ବେଳେ ସାମ୍ନାପଟୁ ମାଡ଼ିଆସିଲା ମୁମ୍ବାଇ ହାୱାଡ଼ା ଏକ୍ସପ୍ରେସ୍ । ଟ୍ରେନ୍‌ ଧକ୍କାରେ ରାମ ଭରୋଷେ ଦାସ, ଜ୍ବାଇଁ ନିଲେଶ ଦାସ ଓ ନିଲେଶଙ୍କ ପତ୍ନୀ ଯମୁନା ଦାସ, ପୁଅ ଲକି ଦାସ ଆରପାରିକୁ ଚାଲିଗଲେ। ବ୍ରାହ୍ମଣୀରୁ ଏମାନଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲକି ବି ଆଖି ବୁଜିଛି।

ସେପଟେ ଜଗତସିଂହପୁର ତିର୍ତୋଲ ଝୁଲାବାବା ମଠ ନିକଟ ମହାନଦୀ ଘାଟରୁ ପାଣି ଉଠାଇଥିବା ବେଳେ ଜଣେ କାଉଡିଆ ନିଖୋଜ ଅଛନ୍ତି , ଜଣଙ୍କୁ ଉଦ୍ଧାର କରାଯାଇଛି । ପିମ୍ପଳମାଧବ ମହମ୍ମଦାବାଦ ଗାଁର କିଛି ଯୁବକ ମହାଦେବଙ୍କ ଜଳାଭିଷେକ ଲାଗି ଭୋରରୁ ମହାନଦୀରୁ ପାଣି ନେବା ପାଇଁ ଆସିଥିଲେ। ନଦୀରେ ପଶିଥିବା ବେଳେ ପ୍ରଖର ଶ୍ରୋତରେ ଦୁଇଜଣ ଭାସିଯାଇଥିଲେ। ପାଖରେ ଥିବା  କିଛି ଲୋକ ସରୋଜ ନାଥଙ୍କୁ ଉଦ୍ଧାର କରିଥିବା ବେଳେ ସିଦ୍ଧାର୍ଥ ଦାସ ନିଖୋଜ ଅଛନ୍ତି ।ସେହିଭଳି ପାରାଦୀପ ରାସ୍ତା ପଙ୍କପାଳ ଠାରେ ଦୁର୍ଘଟଣାରେ ୪ଜଣ କାଉଡିଆଙ୍କର ଆହତ ହୋଇଛନ୍ତି ।

ଭୁବନେଶ୍ବର କୁଆଖାଇ ବ୍ରିଜ ଉପରେ କିଛି କାଉଡିଆ ଯାଉଥିବା ବେଳେ ଜଣଙ୍କୁ ଏକ ବାଇକ୍ ଧକ୍କା ଦେଇଥିଲା । ଏଥିରେ କେନ୍ଦ୍ରାପଡା ପାଟକୁରା ତୁଳସୀଡିହା ଗାଁର ସତ୍ୟାନନ୍ଦ ସାମଲ ଗୁରୁତର ଆହତ ହୋଇଥିଲେ । ତାଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଏବେ ଶ୍ରାବଣ ମାସ ଚାଲିଥିବାରୁ ହଜାର ହଜାର କାଉଡିଆ ଜଳଲାଗି ପାଇଁ ବିଭିନ୍ନ ଶୈବପୀଠକୁ ଯାଉଛନ୍ତି । କେତେବେଳେ ଏମାନଙ୍କ ଅସାବଧାନତା ଯୋଗୁଁ ଦୁର୍ଘଟଣାମାନ ଘଟୁଛି ତ ଆଉ କେତେବେଳେ ଗାଡି ଚାଳକଙ୍କ ଅସବଧାନତା ପାଇଁ । ତେଣୁ ନିରାପଦା ଯାତ୍ରା ପ୍ରତି ସମସ୍ତେ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।