ପ୍ରସିଦ୍ଧ ଜୋରନ୍ଦା ମାଘ ମେଳାରେ ତୈଳ ଉଦ୍ୟୋଗଗୁଡ଼ିକ ପକ୍ଷରୁ ବ୍ୟାପକ ନାଗରିକ ସୁବିଧା

ପରିମଳ, ପାନୀୟ ଜଳ, ବିଶ୍ରାମାଗାର, ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା କରିଛି ରାଷ୍ଟ୍ରାୟତ ଉଦ୍ୟୋଗ

ଢେଙ୍କାନାଳ: ଢେଙ୍କାନାଳସ୍ଥିତ ଜୋରନ୍ଦାଠାରେ ଆରମ୍ଭ ହୋଇଥିବା ମାଘ ମେଳାରେ ପରିମଳ, ପାନୀୟ ଜଳ, ବିଶ୍ରାମାଗାର, ମେଡ଼ିକାଲ ସୁବିଧା ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରିବା ଦିଗରେ ତୈଳ ଉଦ୍ୟୋଗଗୁଡ଼ିକ ଆଗେଇ ଆସିଛନ୍ତି । କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ ଅନୁସାରେ ଏହି ପଦକ୍ଷେପ ନିଆଯାଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିରେ ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି ।

ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନକୁ ସୁନିଶ୍ଚିତ କରିବାକୁ ଅନେକ ପଦକ୍ଷେପ ନିଆଯାଇଛି । ମାଘ ମେଳା ପାଇଁ ତୈଳ କମ୍ପାନୀ ପକ୍ଷରୁ ୩୦ ହଜାର ବର୍ଗ ଫୁଟର ଏକ ଅସ୍ଥାୟୀ ଆଶ୍ରୟ ସ୍ଥଳ ନିର୍ମାଣ କରାଯିବା ସହ ୧୦୦ ଅସ୍ଥାୟୀ ଶୌଚାଳୟ ନିର୍ମାଣ କରାଯାଇଛି । ସେହିପରି ତୈଳ କମ୍ପାନୀଗୁଡ଼ିକ ପକ୍ଷରୁ ମେଡିକାଲ ସହାୟତା, ପାନୀୟ ଜଳ ସୁବିଧା, ଜେନେରେଟର, ଲାଇଟ ବ୍ୟବସ୍ଥା ଓ ମାଗଣା ଫାଷ୍ଟ-ଏଡ୍‌ ବ୍ୟବସ୍ଥା ଆଦି କରାଯାଇଛି । ମେଳା ସମୟରେ ଏହି ଅସ୍ଥାୟୀ ଶୌଚାଳୟଗୁଡ଼ିକର ରକ୍ଷଣା ବେକ୍ଷଣ ପାଇଁ ସୁରକ୍ଷାକର୍ମୀ ଓ ସଫା ରଖିବା ପାଇଁ ସଫେଇ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

ଉଲ୍ଲେଖନୀୟ ଯେ ଢେଙ୍କାନାଳ ଜିଲ୍ଲାର ଜୋରନ୍ଦାଠାରେ ମାଳ ମେଳା ଖୁବ ବଡ ଆକାରରେ ଆୟୋଜନ କରା ଯାଇଥାଏ । ଏଥିରେ ବିପୁଳ ସଂଖ୍ୟାରେ ଜନସାଧାରଣ ଯୋଗ ଦେବା ସହିତ ହଜାର ହଜାର ସଂଖ୍ୟାରେ ସାଧୁ- ସନ୍ଥମାନେ ଯୋଗ ଦେଇଥାନ୍ତି । ପାଞ୍ଚ ଦିନ ଧରି ଚାଲୁଥିବା ଏହି ମାଘ ମେଳାରେ ଲକ୍ଷ ଲକ୍ଷ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥାନ୍ତି । ମହିମା ସମ୍ପ୍ରଦାୟର ସବୁଠାରୁ ବଡ଼ କାର୍ଯ୍ୟକ୍ରମ ହୋଇଥିବା କାରଣରୁ ଏହି ମେଳାରେ ଓଡ଼ିଶା ସମେତ, ଆସାମ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼ ସମେତ ଦେଶର ଅନ୍ୟାନ୍ୟ ରାଜ୍ୟର ଭକ୍ତ ମାନେ ସାମିଲ ହୋଇଥାନ୍ତି । ଏହି ପବିତ୍ର ମେଳା ଚଳିତ ବର୍ଷ ୬ ଫେବୃୟାରୀ ରୁ ଆରମ୍ଭ ହୋଇ ଫେବୃଆରୀ ୧୦ ପର୍ଯ୍ୟନ୍ତ ଚାଲିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ନିଜର ଆଖ ପାଖର ଅଞ୍ଚଳକୁ ସ୍ୱଚ୍ଛ ରଖିବା ଦ୍ୱାରା ନିଜକୁ ସୁସ୍ଥ ରଖିବା ସହ ପରିବେଶକୁ ସ୍ୱଚ୍ଛ ରଖିବାକୁ ଆହ୍ୱାନ ପରିପ୍ରେକ୍ଷୀରେ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରାଯାଇଛି ।

ଜୋରନ୍ଦା ମାଘ ମେଳାରେ ସ୍ୱଚ୍ଛ ଭାରତ ଅଭିଯାନର ପ୍ରୋତ୍ସାହନ ଜରିଆରେ ସ୍ୱଚ୍ଛତା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି ।

ତୈଳ କମ୍ପାନୀ ପକ୍ଷରୁ ଏହି ସୁବିଧାକୁ ବାବା ନିତ୍ୟାନନ୍ଦ ଓ ବାବା ରଘୁ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ତୈଳ କମ୍ପାନୀର ବିଭିନ୍ନ ଅଧିକାରୀ ଶ୍ରୀ ଦେବାଶିଷ ପାଲିତ, ରାଜ୍ୟ ମୁଖ୍ୟ, ବିପିସିଏଲ୍‌, ସଞ୍ଜୟ ଶର୍ମା, ବିପିସିଏଲ୍‌, ଅଭୟଙ୍କର ଦାସ, ଡିଜିଏମ (କ୍ଷେତ୍ରୀୟ ଅଧିକାରୀ), ଏଚ୍‌ପିସିଏଲ୍‌, ବାଣି ମହାନ୍ତି, ଜିଏମ୍‌, ଆଇଓସିଏଲ୍‌, ଏ. ମହାପାତ୍ର, ଡିଜିଏମ୍‌, ଗେଲ୍‌ର ଅଧିକାରୀମାନେ ଉପସ୍ଥିତ ଥିଲେ ।