ଗୁମା ପାହଡ ଧସିବା ଟ୍ରାଜେଡି : ସେନା ପରେ ବାୟୁ ସେନାକୁ  ଭରସା, ୬ ଦିନ ପରେ ବି ପଥର ତଳୁ ଉଦ୍ଧାର ହୋଇପାରୁ ନାହାନ୍ତି ଜେସିବି ଅପରେଟର

ଜୟପୁର : ସେନା ଆସିଲା, ତଥାପି ବାୟୁ ସେନାକୁ ଅପେକ୍ଷା । ଲଗାତାର ୬ ଦିନ ଧରି ଅକ୍ଳାନ୍ତ ପରିଶ୍ରମ ପରେ ସପ୍ତମ ଦିନରେ ପ୍ରଶାସନ ନିଷିଦ୍ଧାଞ୍ଚଳ ଘୋଷଣା କରିଛି । ଦିଲ୍ଲୀରୁ ବାୟୁସେନାର ଟେକ୍ନିକାଲ୍ ଟିମ୍ ଆସିବା ପରେ ଜଣାପଡ଼ିବ କେମିତି ହେବ ଦୁଇ ଜେସିବି ଅପରେଟରଙ୍କ ଉଦ୍ଧାର ।

ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗ ପରେ ହାତ ଟେକିଦେଲା ଏନଡିଆରଏଫ୍ । ୬ ଦିନରେ ପଥର ଖଣ୍ଡେ ଉଠି ନଥିବା ବେଳେ ସପ୍ତମ ଦିନରେ ଉଦ୍ଧାର କାମ ପୂରା ବନ୍ଦ । ରାଞ୍ଚିରୁ ଆସିଥିବା ସେନାର ବୈଷୟିକ ଟିମ୍ ଆଜି ରାଣୀଗଡ଼ରେ ଗୁମା ପାହାଡ଼କୁ ଯାଇ ସ୍ଥତି ଅନୁଧ୍ୟାନ କରିଛନ୍ତି । କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଛନ୍ତି । ସମସ୍ତ ପ୍ରକାର ରଣନୀତି ଫେଲ୍ ହୋଇଥିବାରୁ ବ୍ଳାଷ୍ଟିଂ କରି ବଡ଼ ବଡ଼ ପଥରକୁ ଭାଙ୍ଗିବାକୁ ଚିନ୍ତା କରାଯାଉଛି । ତେଣୁ ପୂରା ଏରିଆକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ଟିମ୍ ପହ଼୍ଚିବା ପରେ ଆରମ୍ଭ ହେବ ପରବର୍ତ୍ତୀ ପଦକ୍ଷେପ ।

୩୧ ତାରିଖରୁ ପଥର ତଳେ ଚାପି ହୋଇ ରହିଛନ୍ତି ଦୁଇ ଜେସିବି ଅପରେଟର୍ । ସେମାନେ ମୃତ କି ଜୀବିତ କହିବା ଅସମ୍ଭବ । ଏଭଳି ସ୍ଥିତିରେ NHRC ଗାଇଡ୍ ଲାଇନ୍ କହୁନି ବିସ୍ଫୋରଣ କରିବା । ତେଣୁ ଦୋଛକିରେ ପ୍ରଶାସନ । ସେପଟେ ବଞ୍ଚିବାର ଆଶା କ୍ଷୀଣ ଥିଲେ ବି ଦୁଇ ଜେସିବି ଅପରେଟର୍ ସଞ୍ଜୟ ଦାସ ଓ ଘନଶ୍ୟାମ ଗୁରୁଙ୍କ ସମ୍ପର୍କୀୟଙ୍କ ମନ କିନ୍ତୁ ବୁଝୁନି । ପ୍ରଶାସନ, ମୃତଦେହ ଉଦ୍ଧାର କରିଦେଲେ, ଶେଷକୃତ୍ୟ ଠିକରେ ହୋଇପାରିବ ବୋଲି ସେମାନେ କହୁଛନ୍ତି ।

ଡିଡି ବିଲ୍ଡର୍ସର ବେଆଇନ ପଥର ଖନନ ବେଳେ ଏତେ ବଡ଼ ଅଘଟଣ ହୋଇଛି । କିନ୍ତୁ ଉଦ୍ଧାର କାମରେ କଂପାନି କର୍ତ୍ତୃପକ୍ଷଙ୍କ ଦେଖା ନାହିଁ । ପୂର୍ବରୁ ତତ୍କାଳୀନ ଜୟପୁର ଉପ ଜିଲ୍ଲାପାଳ ରାଣୀଗଡ଼ ଫାଣ୍ଡିରେ ଡିଡି ବିଲ୍ଡର୍ସ ବିରୋଧରେ ଏତଲା ଦେଇଥିଲେ । କିନ୍ତୁ ପୋଲିସ୍ ହାତ ବାନ୍ଧି ବସିଥିଲା । ଫଳରେ ଏତେ ବଡ ଅଘଟଣ ଘଟିଲା ।