ନୂଆଦିଲ୍ଲୀ: ଭାରତର ସର୍ବ ପୁରାତନ ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଜେଟ୍ ଏୟାରୱେଜ୍ ଋଣଭାରରେ ବୁଡିଛି। ସଂସ୍ଥା ପାଖାପାଖି ୧୦୦ କୋଟି ଡଲାର ଅର୍ଥରାଶି ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କଠାରୁ ଋଣ କରିଛି। ସ୍ଥିତିରେ ସୁଧାର ଆଣିବା ଲାଗି ସଂସ୍ଥାକୁ ବର୍ତ୍ତମାନ ପ୍ରାୟ ୮୫୦୦ କୋଟି ଟଙ୍କା ଆବଶ୍ୟକ ପଡୁଛି। ଏଭଳି ସ୍ଥିତିରେ ଋଣଦାତାମାନେ ଋଣ ଅସୁଲ ପାଇଁ ସଂସ୍ଥାର ୭୫% ଅଂଶଧନ ବିକ୍ରି କରିବାକୁ ଯୋଜନା କରିଛନ୍ତି। ଋଣଦାତାଙ୍କ ପକ୍ଷରୁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନ୍ୟପଟେ ଜେଟ୍ ଏୟାରୱେଜ ବିକ୍ରି ହୋଇଗଲେ ପାଖାପାଖି ୨୩ ହଜାର କର୍ମଚାରୀ ଚାକିରି ହରାଇବା ଆଶଙ୍କା ରହିଛି।ସଂସ୍ଥାକୁ ଅଧିକ ଋଣ ଦେଇଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ସୋମବାର ଏକ ବିବୃତିରେ ଏ ସମ୍ପର୍କରେ ଘୋଷଣା କରିଛି। ନିଲାମ ପାଇଁ ଆଗ୍ରହୀ ବ୍ୟକ୍ତି ବା ସଂସ୍ଥା ଆସନ୍ତା ୧୦ ତାରିଖ ସୁଦ୍ଧା ନିଲାମ ସମ୍ପର୍କିତ କାଗଜପତ୍ର ଦାଖଲ କରିବାକୁ କୁହାଯାଇଛି। ଇଚ୍ଛୁକ ନିଲାମଧାରୀଙ୍କର ୧ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଥିବ କିମ୍ବା ଏୟାରଲାଇନ ବ୍ୟବସାୟରେ ଅତି କମରେ ୩ ବର୍ଷର ଅଭିଜ୍ଞତା ରହିଥିବ ବୋଲି ଦର୍ଶାଯାଇଛି।ଏକଦା ଜେଟ୍ ଏୟାରୱେଜ୍ ଭାରତର ୨ୟ ବୃହତ୍ତ ବିମାନସେବା ପ୍ରଦାନକାରୀ ସଂସ୍ଥା ଭାବେ ଖ୍ୟାତି ଅର୍ଜନ କରିଥିଲା। କିନ୍ତୁ ବିଗତ ୧୧ ବର୍ଷ ମଧ୍ୟରୁ ୯ ବର୍ଷ ଏହି ସଂସ୍ଥା କ୍ଷତିରେ ଚାଲିଆସୁଛି। ସଂସ୍ଥା ବ୍ୟାଙ୍କ ଋଣ ପରିଶୋଧ ଏବଂ କର୍ମଚାରୀଙ୍କୁ ଦରମା ଦେବାରେ ବିଳମ୍ବ କରୁଛି। କ୍ଷତି ଯୋଗୁ ସଂସ୍ଥାର ବିମାନ ସଂଖ୍ୟା ୧୨୪ରୁ ୨୬କୁ ଖସିଆସିଥିବାବେଳେ ଏହାର ପ୍ରତିଷ୍ଠାତା ନରେଶ ଗୋୟଲ ମଧ୍ୟ ସଂସ୍ଥା ଉପରୁ ନିଜର କ୍ଷମତା ହସ୍ତାନ୍ତର କରିବାକୁ ବାଧ୍ୟ ହୋଇଛନ୍ତି। ଏହାର କିଛି ଅଂଶ ଆବୁଧାବିର ଇତିହାଦ ଏୟାରୱେଜ ପିଜେଏସସି ଅଧୀନରେ ରହିଛି।