ଆଉ ନିଯୁକ୍ତିରୁ ବଂଚିତ ହେବେନି ମୃତ କର୍ମଚାରୀଙ୍କ ବିବାହିତା ଝିଅ । ବିବାହ ପରେ ବି ଝିଅଙ୍କୁ ମିଳିବ ଅନୁକମ୍ପା ମୂଳକ ନିଯୁକ୍ତି । ଏହି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ହାଇକୋର୍ଟ । ବିବାହିତ ହୋଇଥିବା କାରଣରୁ ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଂଚିତ କରାଯାଇପାରିବ ନାହିଁ ହାଇକୋର୍ଟ କହିଛନ୍ତି ।
ଅନୁକମ୍ପାମୂଳକ ନିଯୁକ୍ତିକୁ କ୍ଷେତ୍ରରେ ନିର୍ଭରଶୀଳତାକୁ ମାନଦଣ୍ଡରୂପେ ଗ୍ରହଣ କରାଯିବା ଉଚ୍ଚିତ । ନିର୍ଭରଶୀଳ ବ୍ୟକ୍ତିଙ୍କ ବୈବାହିକ ସ୍ଥିତି ଏଥିରେ ବାଧକ ହେବା ଉଚିତ ନୁହେଁ । ରୋଜଗାର କରୁଥିବା ସରକାରୀ ଚାକିରିଆଙ୍କ ମୃତ୍ୟୁ ପରେ ତାଙ୍କ ରୋଜଗାର ଉପରେ ନିର୍ଭଶୀଳତା ହିଁ ଅନୁକମ୍ପାମୂଳକ ନିଯୁକ୍ତିର ମାନଦଣ୍ଡ ହେବା ଆବଶ୍ୟକ । ସେହିପରି ଜଣେ ଝିଅ ବିବାହ କରିବା ପରେ ବି ନିଜ ବାପାମାଆଙ୍କ ପ୍ରତି ଥିବା ଉତ୍ତରଦାୟିତ୍ବରୁ ମୁକୁଳିନଥାଏ । ଅଭିଭାବକଙ୍କ ଭରଣେପାଷଣ ପାଇଁ ବିବାହିତା ଝିଅ ବାଧ୍ୟ । ତେଣୁ ବିବାହିତା ଝିଅଙ୍କୁ ଅନୁକମ୍ପାମୂଳକ ନିଯୁକ୍ତିରୁ ବଞ୍ଚିତ କରାଯାଇପାରିବନି ବୋଲି ରାୟ ଶୁଣାଇଛନ୍ତି କୋଟର୍ । ଅନୁକମ୍ପା ନିଯୁକ୍ତି ବିବାଦ ଓ ମୋକଦ୍ଦମାରେ ଆବେଦନକାରୀଙ୍କ ବହୁ ବର୍ଷ ସମୟ ନଷ୍ଟ ହୋଇଥିବାରୁ ତାଙ୍କ ବୟସ ପ୍ରସଙ୍ଗ ହେବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡ଼ପୀଠ ସୀମାରାଣୀ ପାଣ୍ଡବଙ୍କ ଆବେଦନର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ।
ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ସିଆରଏସ ହାଇସ୍କୁଲରେ ପିଇଟି ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ବେଳେ ୨୦୦୪ରେ ତାଙ୍କର ମୃତ୍ୟୁ ହୋଇଥିଲା । ଆବେଦନକାରୀ ୨୦୦୫ରେ ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଦରଖାସ୍ତ କରିଥିଲେ । ପ୍ରଧାନଶିକ୍ଷକ ଏହି ଦରଖାସ୍ତକୁ ଜିଲ୍ଲା ଶିକ୍ଷାଧିକାରୀ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କର୍ତୃପକ୍ଷଙ୍କ ନିକଟକୁ ପଠାଇ ଦେଇଥିଲେ । ଦରଖାସ୍ତ ଦାଖଲ ହେବାର ଏକ ବର୍ଷ ପରେ ଆବେଦନକାରୀଙ୍କ ବିବାହ ହୋଇଥିଲା । ଆବେଦନକାରୀ ବିବାହିତ ଝିଅ ହୋଇଥିବାରୁ ତାଙ୍କ ଅନୁକମ୍ପାମୂଳକ ନିଯୁକ୍ତି ସଂପର୍କିତ ଦରଖାସ୍ତକୁ ଖାରଜ କରାଯାଇଥିଲା । ଏହି ନିଷ୍ପତ୍ତିକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।