ଭୁବନେଶ୍ୱର : ମହାନଦୀରେ ଆସୁଛି ବନ୍ୟା । ଏହା ମଧ୍ୟମ ଧରଣର ବନ୍ୟା ବୋଲି ସରକାରୀ ଭାବେ କୁହାଯାଇଛି । ସେପଟେ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବୃଦ୍ଧି ପାଇଛି ଓ ହୀରାକୁଦ ଜଳଭଣ୍ଡାର କ୍ରମଶଃ ଫୁଲିବାରେ ଲାଗିଛି । ଆସନ୍ତାକାଲି ପୂର୍ବାହ୍ନ ୧୧ଟାରେ ହୀରାକୁଦ ନଦୀବନ୍ଧ ଏ ବର୍ଷର ପ୍ରଥମ ବନ୍ୟାଜଳ ମହାନଦୀକୁ ନିଷ୍କାସନ କରିବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି । ପୂର୍ବ ପରମ୍ପରାକୁ ବଜାୟ ରଖି ବାମ ପାଶ୍ୱର୍ ସ୍ୱିଲ୍ୱେରେ ପୂଜାର୍ଚ୍ଚନା ପରେ ପଦସ୍ଥ ପ୍ରଶାସନିକ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପ୍ରଥମେ ବାମ ପାଶ୍ୱର୍ର ସୁଇସ୍ ଗେଟ୍ ଖୋଲାଯିବ । ଆଜି ରାତି ୯ଟା ସୁଦ୍ଧା ଜଳସ୍ତର ୬୧୬.୪୫ ଫୁଟ୍ ରହିବା ସହ ପ୍ରତି ସେକେଣ୍ଡରେ ୧.୫୪ ଲକ୍ଷ ଘନଫୁଟ୍ ବନ୍ୟାଜଳ ଡ୍ୟାମ୍ ଭିତରକୁ ପ୍ରବେଶ କରୁଛି । ତେଣୁ ଗେଟ୍ ଖୋଲିବା ଓ ଜଳସ୍ତର ସମନ୍ୱୟ ରକ୍ଷା ପୂର୍ବକ ପ୍ରଥମେ ଅନ୍ୟୂନ ୧୫ଟି ସୁଇସ୍ ଗେଟ୍ ଖୋଲିବା ପାଇଁ ଆପାତତଃ ସ୍ଥିର କରାଯାଇଥିବା ସୂଚନା ମିଳିଛି । ପ୍ରାୟତଃ ୬୧୦ ଫୁଟ୍ ଜଳସ୍ତର ହେଲେ ନଦୀବନ୍ଧ କର୍ତ୍ତୃପକ୍ଷ ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନେଇଥାନ୍ତି । ମାତ୍ର ଏଥର ୬୧୬ ଫୁଟ୍ ଅତିକ୍ରମ କରି ସାରିଛି । ଆସନ୍ତା ୩୦ରୁ ଅଗଷ୍ଟ ୫ ତାରିଖ ମଧ୍ୟରେ ପୁଣି ଲଘୁଚାପ ସମ୍ଭାବନା ଥିବାରୁ ଜଳଭଣ୍ଡାରକୁ ସେହି ଅନୁସାରେ ଖାଲି ରଖିବାକୁ ପଡ଼ିବ ବୋଲି ମୁଖ୍ୟଯନ୍ତ୍ରୀ ଶ୍ରୀ ରଥ କହିଛନ୍ତି । ଏବେ ତେଲ ଓ ହାତୀ ନଦୀ ପାଣି ପାଇଁ ମହାନଦୀରେ ବନ୍ୟା ଆସିଛି । ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକୁ ସତର୍କ କରାଯାଇଛି ବୋଲି ବନ୍ୟା ନିୟନ୍ତ୍ରଣ ସେଲ୍ ମୁଖ୍ୟଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆସନ୍ତାକାଲି ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟାଜଳ ଛଡ଼ାଯିବା ପରେ ମହାନଦୀ ପୁଣି ଫୁଲିବ ଓ ବନ୍ୟା ନିଶ୍ଚିତ ବୋଲି କୁହାଯାଉଛି । ଆସନ୍ତାକାଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ୬୧୮ ଫୁଟ୍ରେ ପହଞ୍ôଚବାର ସମ୍ଭାବନା ଥିବାରୁ ମହାନଦୀକୁ ପ୍ରାୟ ୩ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ଛାଡ଼ିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । ହୀରାକୁଦ ବନ୍ୟାଜଳ ନରାଜଠାରେ ପହଞ୍ôଚବାକୁ ପ୍ରାୟ ୩୬ ଘଣ୍ଟା ସମୟ ଲାଗିବ । ଏଣୁ ମହାନଦୀରେ ଆସନ୍ତା ୨୫ ତାରିଖ ରାତି ସୁଦ୍ଧା ଏହି ଜଳ ପହଞ୍ôଚବା ପରେ ବନ୍ୟା ଆଶଙ୍କା କରାଯାଉଛି । କିନ୍ତୁ ବନ୍ୟା ନିୟନ୍ତ୍ରଣ ସେଲ୍ ମୁଖ୍ୟଯନ୍ତ୍ରୀଙ୍କ କହିବାନୁଯାୟୀ ହୀରାକୁଦ ଜଳ ମୁଣ୍ଡଳିରେ ପହଞ୍ôଚବା ବେଳକୁ ମହାନଦୀରୁ ପୂର୍ବ ବନ୍ୟାଜଳ ନିଷ୍କାସିତ ହୋଇ ସାରିଥିବ । ତେଣୁ ପରିସ୍ଥିତି ଏତେଟା ଗୁରୁତର ହେବ ନାହିଁ । ଆଜି ନରାଜଠାରେ ଅପରାହ୍ଣ ୪ଟା ସୁଦ୍ଧା ଜଳସ୍ତର ୩ ଫୁଟ୍ ବୃଦ୍ଧି ପାଇଛି । ସ୍ୱତନ୍ତ୍ର ରିଲିଫ୍ କମିଶନର୍ ବିଷ୍ଣୁପଦ ସେଠୀ କହିଛନ୍ତି ଯେ ଆଖୁଆପଦାରେ ବୈତରଣୀ ବିପଦସଙ୍କେତ ଛୁଇଁଛି । ଭଣ୍ଡାରୀପୋଖରୀ ଓ ଧାମନଗରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଅନୁମାନ କରାଯାଉଛି । ୮ରୁ ୯ଟି ପଞ୍ଚାୟତ ପ୍ରଭାବିତ ହେବା ଆଶଙ୍କା ରହିଛି । ବଂଶଧାରାରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ସେକେଣ୍ଡ୍ରେ ମୁଣ୍ଡଳି ବ୍ୟାରେଜ୍ ଦେଇ ତଳମୁଣ୍ଡକୁ ପ୍ରବାହିତ ହେଉଛି ୭ ଲକ୍ଷ ଘନଫୁଟ୍ରୁ ଊଦ୍ଧ୍ୱର୍ ବନ୍ୟାଜଳ । କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ସମଗ୍ର ରାଜ୍ୟରେ ବର୍ଷା ଓ ବନ୍ୟା ଯୋଗୁ ବ୍ୟାପକ ଅଞ୍ଚଳ ଜଳମଗ୍ନ ହେବାସହ ଅଧିକାଂଶ ଜିଲ୍ଲା ପ୍ରଭାବିତ ହୋଇଛି । ଆଜିସୁଦ୍ଧା ଅଧିକାଂଶ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତାକାଲି ହୀରାକୁଦରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବାକୁ ଥିବାରୁ ବନ୍ୟା ପରିସ୍ଥିତି ଗମ୍ଭୀର ହେବ ବୋଲି ଅନୁମାନ କରାଯାଉଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୩ ଦିନ ଧରି ଲଗାଣ ବର୍ଷା ଓ ବନ୍ୟା ଯୋଗୁ
ମହାନଦୀ ଅବବାହିକାର ଜିଲ୍ଲାଗୁଡ଼ିକୁ ସତର୍କ ରହିବାକୁ ପରାମର୍ଶ
ମଧ୍ୟମଧରଣର ବନ୍ୟା ନେଇ ମୁଖ୍ୟଯନ୍ତ୍ରୀଙ୍କ ସୂଚନା
ଆଖୁଆପଦାରେ ବୈତରଣୀ ଛୁଇଁଲା ବିପଦସଙ୍କେତ
ବଂଶଧାରାରେ ଜଳସ୍ତର ବୃଦ୍ଧି
୩୬ ଘଣ୍ଟା ନରାଜରେ ପହଞ୍ôଚବ ହୀରାକୁଦ ବନ୍ୟାଜଳ
ରାଜ୍ୟର ସମୁଦାୟ ୬୨ଟି ବ୍ଲକ୍, ୧୦୮୨ ଗ୍ରାମ ଓ ୩ ଲକ୍ଷ ୨୪ ହଜାର ୮୫୫ ଜଣ ଲୋକ ପ୍ରଭାବିତ ହୋଇଛନ୍ତି । କୋରାପୁଟରେ ସର୍ବାଧିକ ୧୨ଟି ବ୍ଲକ୍ର ଲୋକ ଏବେବି ଜଳବନ୍ଦୀ ହୋଇ ରହିଛନ୍ତି । କଳାହାଣ୍ଡିରେ ସର୍ବାଧିକ ୫ ଓ ସମ୍ବଲପୁରରେ ୨ ଜଣଙ୍କ ସମେତ ସମୁଦାୟ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ବରଗଡ଼, ଯାଜପୁର, କନ୍ଧମାଳ, କୋରାପୁଟ ଓ ସୋନପୁରରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ୧୪ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିଭଳି ପୁରୀର ୫ଟି ବ୍ଲକ୍ ବର୍ଷା ଓ ବନ୍ୟା ଯୋଗୁ ଯଥେଷ୍ଟ ପ୍ରଭାବିତ ହୋଇଛି । ସମ୍ବଲପୁରରେ ୯ଟି, ସୁବର୍ଣ୍ଣପୁରରେ ୨ଟି, ଦେବଗଡ଼ରେ ୨ଟି, କଳାହାଣ୍ଡିରେ ୧୧ଟି, ରାୟଗଡ଼ାରେ ୩ଟି, କନ୍ଧମାଳରେ ୭ଟି, ଅନୁଗୁଳରେ ୪ଟି, ବୌଦ୍ଧରେ ୩ଟି ବ୍ଲକ୍ ବର୍ଷା ଓ ବନ୍ୟା ଯୋଗୁ ପ୍ରଭାବିତ ହୋଇଛି । ସମ୍ବଲପୁର ଓ ଯାଜପୁର ପୌରାଞ୍ଚଳ ସମେତ ୩ଟି ସହରର ୩୨ଟି ୱାର୍ଡ଼ର ବାସିନ୍ଦା ଜଳବନ୍ଦୀ ହୋଇ ରହିଛନ୍ତି । ୫୩୬୦ଟି ଘର ଆଂଶିକ ଓ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ୯ଟି ଜିଲ୍ଲାରେ ୫୧ଟି ଅସ୍ଥାୟୀ ରିଲିଫ୍ କ୍ୟାମ୍ପ୍ ଖୋଲାଯାଇ ୧୩ ହଜାର ୮୦୮ ଲୋକଙ୍କୁ ଆଶ୍ରୟ ଯୋଗାଇ ଦିଆଯିବା ସହ ରନ୍ଧାଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଇଛି । କଟକରେ ୩ଟି ଟିମ୍ ସହ ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳରେ ସମୁଦାୟ ୧୨ଟି ଓଡ୍ରାଫ୍ ଟିମ୍ ଓ ୮୫ଟି ଅଗ୍ନିଶମ ଟିମ୍ଙ୍କୁ ନିୟୋଜିତ କରାଯାଇଛି । ସେହିଭଳି କେନ୍ଦ୍ରାପଡ଼ା, ଯାଜପୁର, ପୁରୀ, ଭଦ୍ରକ ଓ ଜଗତସିଂହପୁରରେ ୫ଟି ଲେଖାଏଁ ଏନ୍ଡିଆର୍ଏଫ୍ ଟିମ୍ଙ୍କୁ ନିୟୋଜିତ କରାଯାଇଛି । ଆଜି ଆଠଗଡ଼ ହୁଳୁହୁଳା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଆଠଗଡ଼ ଭାୟା ସୁବର୍ଣ୍ଣପୁର ଦେଇ ରତାଗଡ଼କୁ ଯେଗାଯୋଗ ବିଚ୍ଛିନ୍ନ ହୋଇଛି । ତିଗିରିଆର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି । ଛତ୍ରପୁରରେ ଋଷିକୂଲ୍ୟା ନଦୀରେ ଭାସିଯାଇଛନ୍ତି ୧୦ରୁ ଅଧିକ କୃଷ୍ଣସାର ମୃଗ । ହଠାତ୍ ପାଣି ମାଡ଼ିଆସିବାରୁ ବିଲରେ ରହିଯାଇଥିବା ମୃଗ ଭାସିଯାଇଛନ୍ତି । ସେପଟେ ଭୁବନେଶ୍ୱର ଉପକଣ୍ଠ ଦୟା ନଦୀ କୁଳ ଲଂଘିଛି । ଏବେ ପ୍ରାୟ ୩୦ଟି ଗାଁ ପାଣି ଘେରରେ ରହିଛି । ଜଟଣୀ ବ୍ଲକ୍ ପାଣ୍ଡିଆବିଲର ୩୦ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ସ୍ଥାୟୀ ବ୍ୟବସ୍ଥା ଦାବିରେ ଆଜି ଲୋକେ କଣାସ ରାସ୍ତା ଅବରୋଧ କରିଥିଲେ । ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ବନ୍ୟା ପରିସ୍ଥିତିର ସମୀକ୍ଷା କରିଛନ୍ତି । ମହାନଦୀ ଅବବାହିକା ଅଞ୍ଚଳରେ ବର୍ଷା ଯୋଗୁଁ ମଧ୍ୟମ ଧରଣର ବନ୍ୟା ଆସିବାର ସମ୍ଭାବନା ଥିବାରୁ ସମସ୍ତ ସମ୍ପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ତୁରନ୍ତ ରିଲିଫ ଯୋଗାଇ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନକୁ ଉଦ୍ଧାର କାର୍ଯ୍ୟ ଓ ରିଲିଫ ଯୋଗାଣ ପାଇଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗ ସହାୟତା ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଯେଉଁସବୁ ସ୍ଥାନରେ ପରିସ୍ଥିତି ସ୍ୱାଭାବିକ ହୋଇସାରିଛି, ସେଠାରେ ଜିଲ୍ଲା କର୍ତ୍ତୃପକ୍ଷ ତୁରନ୍ତ କ୍ଷୟକ୍ଷତିର ଆକଳନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାଯାଇପାରିବ ବୋଲି ସେ କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରିରେ ବିଚ୍ଛିନ୍ନ ହୋଇଥିବା ଯୋଗାଯୋଗ ବ୍ୟବସ୍ଥାକୁ ପୁନଃସ୍ଥାପିତ କରାଯାଇଛି । କଳାହାଣ୍ଡି ଜିଲ୍ଲା ଏବଂ କଟକ, ଭୁବନେଶ୍ୱର ଓ ପୁରୀରେ ପରିସ୍ଥିତି ବର୍ତ୍ତମାନ ସ୍ୱାଭାବିକ ରହିଛି । ସମ୍ବଲପୁରରେ ପରିସ୍ଥିତିରେ ଉନ୍ନତି ଆସିଛି ଏବଂ ଲୋକମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି । ମହାନଦୀରେ ମୁଣ୍ଡଳୀଠାରେ ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ୮ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବ । କଟକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଆଦି ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଯେ କୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୈତରଣୀରେ ମଧ୍ୟ ବନ୍ୟାର ସମ୍ଭାବନା ରହିଛି । କେନ୍ଦୁଝର, ଯାଜପୁର ଓ ଭଦ୍ରକ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବାପାଇଁ କୁହାଯାଇଛି । ବନ୍ୟା ଓ ବନ୍ୟା ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଗ୍ରାମାଞ୍ଚଳରେ ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କ ପାଖରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି । ଗତକାଲି ସୁଦ୍ଧା ୧୭ଟି ମେଡିକାଲ ରିଲିଫ୍ କେନ୍ଦ୍ର କାର୍ଯ୍ୟ କରୁଥିବାବେଳେ ଓ ୧୩ଟି ଭ୍ରାମ୍ୟମାଣ ଡାକ୍ତରୀଦଳ ନିୟୋଜିତ ହୋଇଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।