ମଦ୍ୟପ ସବ୍ ଇନ୍ସପେକ୍ଟରଙ୍କୁ ନିଲମ୍ବନ କଲେ ଏସପି

ମୟୂରଭଞ୍ଜ: ମଦ୍ୟପ ପୋଲିସ ଅଫିସରଙ୍କୁ କଡା ଦଣ୍ଡ । ନିଶାସକ୍ତ ଅବସ୍ଥାରେ ଭିଡିଓ ଭାଇରାଲ ପରେ ବିଦା ହେଲେ ସବ୍ ଇନ୍ସପେକ୍ଟର । ମଦ ନିଶାରେ ବେହୋସ ସବ ଇନ୍ସପେକ୍ଟରଙ୍କୁ ହୋସ ଉଡାଇଦେଲା ବହିଷ୍କାର ନିର୍ଦ୍ଦେଶ । ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନା ସବ ଇନ୍ସପେକ୍ଟର ସଚିଦା ନନ୍ଦ କିଷାନଙ୍କୁ ନିଲମ୍ବନ କଲେ ଏସପି । ଏକ ପାନ ଦୋକାନ ବେଂଚରେ ମଦ ନିଶାରେ ଚୁର ହୋଇ ଗଡୁଥିବା ଭିଡିଓ ଭାଇରାଲ ପରେ ସବ ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛନ୍ତି ଏସପି ।

ବେତନଟି ଥାନାରେ କାର୍ଯ୍ୟରତ ସବ ଇନ୍ସପେକ୍ଟର ସଚ୍ଚିଦା ନନ୍ଦ କିଷାନ ବୁଧବାର ସନ୍ଧ୍ୟା ସମୟରେ ମଦ୍ୟପାନ କରି ବେତନଟି ଥାନା ଛକ ନିକଟରେ ଥିବା ଏକ ପାନ ଦୋକାନ ବେଂଚ ଉପରେ ବେହୋସ ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟ ଲୋକେ ସବ ଇନ୍ସପେକ୍ଟରଙ୍କୁ ଉଦ୍ଧାର କରି ଥାନାରେ ଛାଡି ଥିଲେ ।

ମଦୁଆ ସବ ଇନ୍ସପେକ୍ଟରଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା । ସବ ଇନ୍ସପେକ୍ଟରଙ୍କ ଭିଡ଼ିଓ ଭାଇରାଲ ହେବା ସହ ସ୍ଥାନୀୟ ଲୋକେ ମୟୂରଭଞ୍ଜ ଏସପି ପରମାର ସ୍ମିଥ ପୁରୁଷୋତମ ଦାସଙ୍କୁ ଜଣାଇଥିଲେ । ଏସପି ମଦୁଆ ସବ ଇନ୍ସପେକ୍ଟରଙ୍କ ଭିଡ଼ିଓ ଭାଇରାଲ ହେବା ପରେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଘଟଣାର ତଦନ୍ତ କରି ଏସପି ସବ୍ ଇନ୍ସପେକ୍ଟର ସଚ୍ଚିଦାନନ୍ଦ କିଷାନଙ୍କୁ ତୁରନ୍ତ ଚାକିରୀରୁ ନିଲମ୍ବିତ କରିଛନ୍ତି ।