ୟେଦୁରପ୍ପାଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରିତ; ସାମିଲ ହେଲେ ୧୦ ନୂଆ ମନ୍ତ୍ରୀ

ବେଙ୍ଗାଲୁରୁ: ଆଜି ନିଜ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ୟେଦୁରପ୍ପାଙ୍କ କ୍ୟାବିନେଟରେ ୧୦ ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ୧୦ ଜଣ ବିଧାୟକଙ୍କ ନାମ ରାଜ୍ୟପାଳଙ୍କ ନିକଟକୁ ପଠାଇଥିଲେ । ଯେଉଁ ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀର ଦାୟିତ୍ବ ମିଳିବ, ସେମାନଙ୍କ ମଧ୍ୟରୁ ଅଧିକାଂଶ କଂଗ୍ରେସ-ଜେଡିଏସର ବିଦ୍ରୋହୀ ବିଧାୟକ ସାମିଲ ଅଛନ୍ତି । ଏସଟି ସୋମଶେଖର, ଜରକିହୋଲି ରମେଶ ଲକ୍ଷ୍ମଣ ରାୱ, ଆନନ୍ଦ ସିଂହ, କେ ସୁଧାକର, ଏଚଏ ବାସବରାଜ, ଅରାବଲୀ ହେବ୍ବର ଶିବରାମ, ବିସି ପାଟିଲ, କେ ଗୋପାଲୈୟା, ନାଗାୟଣ ଗୌଡା ଏବଂ ବାଲାସାହିବ ପାଟିଲ ମନ୍ତ୍ରୀପଦର ଶପଥ ଗ୍ରହଣ କରିଛନ୍ତି ।

ଅନ୍ୟପକ୍ଷେ ଉମେଶ କଟ୍ଟିଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ସହ ମନ୍ତ୍ରୀ ପଦ ଦିଆଯିବ । କିନ୍ତୁ ବର୍ତମାନ କ୍ୟାବିନେଟ ସମ୍ପ୍ରସାରଣରେ ସାମିଲ କରିବା ସମ୍ଭବ ନୁହେଁ ତେଣୁ ତାଙ୍କୁ ନୂଆ ଦାୟିତ୍ବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ସକାଳ ୧୦ଟା ୩୦ ମିନିଟରେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା ।