ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ସମଗ୍ର ହିନ୍ଦୁ ସମାଜ ଓ ସାଢ଼େ ୪କୋଟି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିବ: ଧର୍ମେନ୍ଦ୍ର ପ୍ରଧାନ

ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

ଭୁବନେଶ୍ୱର: ଲକ୍ ଡାଉନରେ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶକୁ ସ୍ୱାଗତ କରିବା ସହ ତାଙ୍କର ପରାମର୍ଶ ସମଗ୍ର ହିନ୍ଦୁ ସମାଜ ଓ ସାଢ଼େ ୪କୋଟି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଓ ମହାନ୍ ପରମ୍ପରାକୁ ରକ୍ଷା କରିବା ସହ କରୋନା ମହାମାରୀର ସଠିକ୍ ମୁକାବିଲା କରିବା ପାଇଁ ଜଗତଗୁରୁ ପରମପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ ଯେଉଁ ପରାମର୍ଶ ଦେଇଛନ୍ତି ତାହା ସମଗ୍ର ହିନ୍ଦୁ ସମାଜ ଓ ସାଢ଼େ ୪କୋଟି ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତ କରିବ ବୋଲି ମୋର ଦୃଢ଼ ବିଶ୍ୱାସ ।

ଗଜପତି ମହାରାଜ ବିସ୍ତୃତ ଭାବରେ କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ନୀତି ନିୟମ ମାନିବା ଉପରେ ଗୁରୁତ୍ୱ ଆରୋପ କରିବା ଏକ ସମୟୋପଯୋଗୀ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି, ମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ଜଗତଗୁରୁ ପରମପୂଜ୍ୟ ଶଙ୍କରାଚାର୍ଯ୍ୟ ମହାରାଜ ଓ ଗଜପତି ମହାରାଜଙ୍କ ପରାମର୍ଶ ଆଧାରରେ ମହାପ୍ରଭୁଙ୍କ ନୀତିକାନ୍ତି ପରମ୍ପରା ରକ୍ଷା ହୋଇପାରିବ । ମହାପ୍ରଭୁଙ୍କ ଆର୍ଶୀବାଦରେ ମାନବଜାତି କରୋନା ଯୁଦ୍ଧରେ ନିର୍ଣ୍ଣାୟକ ବିଜୟ ପ୍ରାପ୍ତ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ କରି କହିଛନ୍ତି ।