କରୋନା ସମୟରେ ଦେଶର ମା’ ମାନଙ୍କୁ ନୂଆ ଉର୍ଜା ଦେଇଛି ଉଜ୍ଜଳା: ଧର୍ମେନ୍ଦ୍ର ପ୍ରଧାନ

ଦେଶର ୧ ହଜାରରୁ ଉର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଉଜ୍ଜଳା ଲାଭାର୍ଥୀଙ୍କ ସହ ଭିସି ଯୋଗେ କଥା ହେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଦେଶର ଗରିବ ମା’ଭଉଣୀ ମାନଙ୍କୁ ନୂଆ ଉର୍ଜା ଦେଇଛି ବୋଲି ଶନିବାର ଦେଶର ୧ ହଜାରରୁ ଉର୍ଦ୍ଧ୍ୱ ଉଜ୍ଜଳା ଲାଭାର୍ଥୀଙ୍କ ସହ ଭିଡିଓ କନଫରେନ୍ସିଂ ଯୋଗେ କଥା ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ୪ ବର୍ଷ ପୂର୍ତି ଅବସରରେ ଏହି ଭିଡିଓ କନଫେରେନ୍ସ ଆୟୋଜିତ ହୋଇଯାଇଥିଲା ।

ଏହି ଆଲୋଚନାରେ ଓଡିଶା ରାଜ୍ୟ ସମେତ ଆସାମ, କେରଳ, ରାଜସ୍ଥାନ, ମହାରାଷ୍ଟ୍ର, ଉତରପ୍ରଦେଶ, କର୍ଣ୍ଣାଟକ ଏବଂ ଅନ୍ୟ ରାଜ୍ୟର ମହିଳା ଉଜ୍ଜଳା ହିତାଧିକାରୀମାନଙ୍କ ସହ ଶ୍ରୀ ପ୍ରଧାନ କଥା ହୋଇଥିଲେ । ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଗ୍ୟାସ ଆସିବା ଦ୍ୱାରା ସେମାନଙ୍କ ଜୀବନରେ ଆସିଥିବା ପରିବର୍ତନ ଓ ବର୍ତମାନର ଘଡିସନ୍ଧିମୂହୁର୍ତରେ ଗ୍ୟାସ ଯୋଗାଣ ଉପରେ ଶ୍ରୀ ପ୍ରଧାନ କଥା ହୋଇଥିଲେ । ଓଡିଶାର ଅନୁଗୁଳ ଜିଲ୍ଲାର ସନ୍ତୋଷୀ ମହାରଣା ଏବଂ କେନ୍ଦ୍ରାପଡାର ସୁହାନା ବିବି ଓ ଅନ୍ୟ ଉଜ୍ଜଳା ହିତାଧିକାରୀମାନେ ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା କରିବା ବେଳେ କହିଥିଲେ ଯେ ପୂର୍ବରୁ ସେମାନେ କାଠ ଜାଳି ଚୂଲାରେ ରୋଷେଇ କରୁଥିଲେ । ଫଳରେ ସେମାନଙ୍କୁ ଅନେକ ହଇରାଣ ହେବାକୁ ପଡୁଥିଲା । ମାତ୍ର ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଘରକୁ ଗ୍ୟାସ ଆସିବା ପରେ ସେମାନଙ୍କ କଷ୍ଟ ଲାଘବ ହୋଇପାରିଛି । ଉଜ୍ଜଳା ସେମାନଙ୍କ ଆଖିରୁ ଲୁହ ପୋଛିଚି । ସମୟ ବଂଚିବା ସହ ବଳକା ସମୟରେ ଅନେକ କାମ କରିପାରୁଛନ୍ତି । ବିଶେଷତଃ କରୋନା ସମୟରେ ଘରେ ମାଗଣାରେ ଗ୍ୟାସ ପହଁଚିଥିରୁ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏବଂ ଗ୍ୟାସ ମନ୍ତ୍ରଣାଳୟ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ଅନୁଗୁଳ ଜିଲ୍ଲାର ଉଜ୍ଜଳା ଲାଭାର୍ଥୀ ସନ୍ତୋଷୀ ମହାରଣାଙ୍କୁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ, ଡାଲି, ଗ୍ୟାସ, ଜନଧନରେ ଟଙ୍କା, କୃଷକ ସମ୍ମାନ ନିଧିରେ ଟଙ୍କା ମିଳିଛି କି ନାହିଁ ପଚାରିଥିଲେ । ଉତରରେ ସନ୍ତୋଷୀ ମହାରଣାଙ୍କ ପରିବାର ଏହି ସବୁର ଲାଭାର୍ଥୀ ହୋଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । ଉଜ୍ଜଳା ଲାଭାର୍ଥୀଙ୍କ ସହ ଆଲୋଚନା କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବେଦନଶୀଳ ପଦକ୍ଷେପ । ଭାରତରେ ପ୍ରତିବର୍ଷ ଘରୋଇ ଧୂଆଁ କାରଣରୁ ୫ ଲକ୍ଷ ମହିଳାଙ୍କ ମୃତ୍ୟୁ ହେଉଥିଲା । ତେବେ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ମହିଳାଙ୍କ କଥା ଚିନ୍ତା କଲେ ଏବଂ ତାଙ୍କ ଦୂରଦୃଷ୍ଟି
କାରଣରୁ ଉଜ୍ଜଳା ଯୋଜନା ୨୦୧୬ ମଇ ପହିଲାରେ ଆରମ୍ଭ ହେଲା । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ସଫଳତାପୂର୍ବକ ୪ ବର୍ଷ ପୂରଣ କରିଥିବା ବେଳେ ଏହି ଯୋଜନାରେ ୮ କୋଟିରୁ ଉର୍ଦ୍ଧ୍ୱ ଗରିବ ପରିବାରଙ୍କ ଘରେ ଗ୍ୟାସ ପହଁଚିପାରିଛି ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ କରୋନା ସମୟରେ ମଧ୍ୟ ଦେଶର ଗରିବ ମାଆ ମାନଙ୍କ ଘରେ ଗ୍ୟାସ ପହଁଚାଯିବା କାମକୁ ନିଶ୍ଚିତ କରାଯାଇଛି । ପ୍ରଧାନମନ୍ତ୍ରୀ ଦେଶର ଅର୍ଥନୀତିକୁ ପୁନର୍ବାର ମଜବୁତ କରିବା ପାଇଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ହିତାଧିକାରୀଙ୍କୁ ତିନି ମାସ ପାଇଁ ମାଗଣାରେ ତିନୋଟି ଗ୍ୟାସ ସିଲିଣ୍ଡର ଯୋଗାଯାଉଛି । ବର୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୬.୨୮ କୋଟିରୁ ଉର୍ଦ୍ଧ୍ୱ ଏଲପିଜି ସିଲିଣ୍ଡର ପ୍ରଧାନମନ୍ତ୍ରୀ ଉଜ୍ଜଳା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି । ବାହାର ରାଷ୍ଟ୍ରରୁ ଅଧିକ ଏଲପିଜି ଆମଦାନୀ କରାଯାଇଛି । ଦେଶର ଏଲପିଜି ଉତ୍ପାଦନକୁ ବୃଦ୍ଧି କରାଯାଇଛି ା ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟ ତଥା ସମସ୍ତଙ୍କ ଉଦ୍ୟମରେ ଏହା ସମ୍ଭବ ହୋଇପାରିଛି ଏବଂ ସମସ୍ତେ କରୋନା
ଆହ୍ୱାନର ମୁକାବିଲା କରିବାରେ ଲାଗିଛନ୍ତି ବୋଲି କହିବା ସହ ପେଟ୍ରୋଲିୟମ ତଥା ଗ୍ୟାସ ମନ୍ତ୍ରଣାଳୟର ଅଧିକାରୀ, ଗ୍ୟାସ ବିରତଣ ସଂସ୍ଥାର କର୍ମଚାରୀ, ଡେଲିଭରି ବୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ ଉଜ୍ଜଳା ହିତାଧିକାରୀମାନଙ୍କୁ ଘରେ ମାସ୍କ ପ୍ରସ୍ତୁତ କରି ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା, ହାତ ଧୋଇବା ଓ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ କରିବା ସହ ଅନ୍ୟମାନଙ୍କୁ ସଚେତନ କରିବା ଉପରେ ପରାମର୍ଶ ଦେଇଥିଲେ । ଉଲ୍ଲେଖନୀୟ ଯେ, ଏହି ଆଲୋଚନାରେ ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉଜ୍ଜଳା ହିତାଧିକାରୀଙ୍କ ସହ କଥା ହୋଇ ସେମାନଙ୍କ ଜୀବନରେ ଆସିଥିବା ପରିବର୍ତନ ଉପରେ ପଚାରିବୁଝିଥିଲେ ।