୨୦ ତାରିଖରେ ବାତ୍ୟା ଆମ୍ଫାନ ପଶ୍ଚିମବଙ୍ଗରେ କରିପାରେ ଲ୍ୟାଣ୍ଡଫଲ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଅବପାତ ରୂପ ନେବା ପରେ ବାତ୍ୟା ଆମ୍ଫାନ୍‌ ପାରାଦୀପଠାରୁ ୧୦୬୦ କିଲୋମିଟର ଦୂରରେ ଅଛି। ସମୁଦ୍ର ପଥରେ ଘଂଟା ପ୍ରତି ୨୦ କିଲୋମିଟର ବେଗରେ ଏହା ଗତି କରୁଛି। ୨୦ ତାରିଖ ଦିନ ବେଳା ବାତ୍ୟା ଆମ୍ଫାନ୍‌ ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିପାରେ ବୋଲି ଆକଳନ କରାଯାଉଛି ।

ବାତ୍ୟା ଓଡ଼ିଶା ଉପକୂଳ ଦେଇ ପଶ୍ଚିମବଙ୍ଗ ଓ ବାଂଲାଦେଶ ଅଭିମୁଖେ ଯିବ । ସମୁଦ୍ର ଭିତରେ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଯିବା ବେଳେ ଉପକୂଳ ଓ ଉତର ଓଡ଼ିଶାରେ ପ୍ରଭାବ ରହିବ । ୧୮ ତାରିଖରୁ ବର୍ଷା ଆରମ୍ଭ ହେବ ବୋଲି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିସନର ସୂଚନା ଦେଇଛନ୍ତି ।

ଆଜି ଅର୍ଥାତ ୧୬ତାରିଖଠାରୁ ଆରମ୍ଭ କରି ୨୫ତାରିଖ ପର୍ଯ୍ୟନ୍ତ ଏହାର ଗତିପଥ କ’ଣ ରହିବ ତାହାର ଇମେଜ ୱିଣ୍ଡି ଡଟ୍‌ କମ୍‌ ଜାରି କରିଛି । ଏହି ସମୟ ମଧ୍ୟରେ ପ୍ରତି ଘଂଟାରେ କିପରି ରହିବ ଆମ୍ଫାନ୍‌ର ଗତିପଥ ତାକୁ ନେଇ ସବିଶେଷ ତଥ୍ୟ ଦିଆଯାଇଛି । ୱିଣ୍ଡି ଡଟ୍‌ କମ୍‌ ଦେଇଥିବା ଇମେଜ ଅନୁଯାୟୀ ଆମ୍ଫାନ୍‌ ଓଡ଼ିଶା ଦେଇ ଅତିକ୍ରମ କରିବାର ଆଶଙ୍କା ରହିଛି।

ଏହାର ପ୍ରଭାବରେ ୨୦ତାରିଖ ଯାଏଁ ଉତ୍ତର ଓଡିଶାରେ ବର୍ଷା ଲାଗି ରହିବ । ବର୍ଷା ସମୟରେ ପବନ ବି ବହିବ। ୧୯ ତାରିଖ ସକାଳେ ପବନର ବେଗ ୬୦ରୁ ୭୫ କିଲୋମିଟର ରହିବ। ତେବେ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସବୁପ୍ରକାର ପ୍ରସ୍ତୁତି କରିଥିବା ଏସଆରସି ପି.କେ ଜେନା କହିଛନ୍ତି । ବିଶେଷ ଭାବେ ଉପକୂଳ ଓ ଉତ୍ତର ଓଡ଼ିଶାର ଜିଲ୍ଲାକୁ ସତର୍କ କରାଯାଇଛି ।

କୋଭିଡ- କେୟାର ସେଂଟର ଛାଡି ବାତ୍ୟା ଆଶ୍ରୟସ୍ଥଳି ପ୍ରସ୍ତୁତ କରିବା ପାଇଁ କୁହାଯାଇଥିବା ଏସଆରସି କହିଛନ୍ତି। ଆସନ୍ତା ୧୯ ଓ ୨୦ ତାରିଖ ଓଡ଼ିଶା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ ଓ ଏନଡିଆରଏଫ ସଜାଗ ଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ୍ତ କୁମାର ଜେନା କହିଛନ୍ତି ।