ଉତର ଓଡିଶାରେ ହୋଇପାରେ ଅନେକ କ୍ଷୟକ୍ଷତି

ଭୁବନେଶ୍ୱର : ମଝି ସମୁଦ୍ରରୁ ମାଡି ଆସୁଛି ମହାବାତ୍ୟା । ଅମ୍ଫାନ ଏବେ ୧୫ କି.ମି ବେଗରେ ଗତି କରୁଛି । କାଲି ଅପରାହ୍ନରୁ ସନ୍ଧ୍ୟା ଭିତରେ ସୁନ୍ଦରବନ ନିକଟରେ ପାର୍ କରିବ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ସର୍ବାଧିକ ୧୮୫ କି.ମି ରହିବ । ତେବେ ୧୯୯୯ ପରେ ଅମ୍ଫାନ ସବୁଠାରୁ ବଡ ମହାବାତ୍ୟା ହୋଇଥିବାରୁ କ୍ଷୟକ୍ଷତି ଅନେକ ହୋଇପାରେ ବୋଲି ଆଶଙ୍କା କରାଯାଉଛି ବୋଲି ପ୍ରେସମିଟ କରି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ତେବେ ଅମ୍ଫାନ ପ୍ରଭାବରେ ଆଜି ଆଜି ଦକ୍ଷିଣ ଓ ଉପକୂଳ ଓଡିଶାର ଅନେକ ସ୍ଥାନରେ ବର୍ଷା, ପବନ ଆରମ୍ଭ ହୋଇଗଲାଣି । ବର୍ଷା ସହ ପବନ ବି ବହୁଛି । ୫୫ରୁ ୬୫ କିମି. ବେଗରେ ପବନ ହେଉଛି । ଆଗକୁ ବଢିପାରେ ।

ସେପଟେ ଆଶଙ୍କା ବଢାଉଛି ଅମ୍ଫାନ । ଲ୍ୟାଣ୍ଡଫଲ ସମୟରେ ଆସନ୍ତାକାଲି ଉତର ଓଡିଶାରେ ପ୍ରବଳ ବର୍ଷା ପବନ ହେବ । ୧୦୦ରୁ ୧୧୦ କିମି ବେଗରେ ପବନ ବହିବ । କଚ୍ଚା ଘର, ଆଜବେଷ୍ଟସ୍ ଘର ଭାଙ୍ଗିବାର ଅନେକ ଆଶଙ୍କା । ବିଦ୍ୟୁତ୍ ଖୁଣ୍ଟ, ବଡ ବଡ ଗଛ ଉପୁଡି ପଡିବାର ବି ଆଶଙ୍କା ଏଡାଇ ଦିଆଯାଇ ନପାରେ ବୋଲି ଆଇଏମଡି ଡିଜି ସ୍ପଷ୍ଟ କରିଛନ୍ତି ।

ତେବେ ମହାବାତ୍ୟା ମୁକାବିଲା ପାଇଁ ଓଡିଶାରେ ୨୦ଟି ଏନଡିଆରଏଫ ଟିମ୍ ମୁତୟନ ଅଛନ୍ତି । ୨୦ ଟିମରୁ ୧୫ଟି ଟିମ୍ ମୁତୟନ ଅଛନ୍ତି, ୫ଟି ଟିମ୍ ପ୍ରସ୍ତୁତ ରହିଛି । ଓଡିଶାର ୭ଟି ଜିଲ୍ଲାରେ ଏନଡିଆରଏଫ ଟିମ୍ ମୁତୟନ ଅଛନ୍ତି । ବାଲେଶ୍ୱର- ୪ଟି ଟିମ୍, କେନ୍ଦ୍ରାପଡା-୩, ଜଗତସିଂହପୁର-୨, ଭଦ୍ରକ-୨, ମୟୂରଭଞ୍ଜ-୧ ଏବଂ ପୁରୀ ୧ ଭଳି ୭ଟି ଜିଲ୍ଲାରେ ଏନଡିଆରଏଫ ଟିମ୍ ସଜାଗ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରୁଛନ୍ତି ବୋଲି ଏନଡିଆରଏଫ ଡିଜି ସୂଚନା ଦେଇଛନ୍ତି ।