ରାତି ସାଢ଼େ ୮ଟାରୁ ସାଢ଼େ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)ର ପୂର୍ବ ଆକଳନ ଅନୁସାରେ ବାତ୍ୟା ‘ଅମ୍ଫାନ’ ଗତି କରୁଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ଏସ୍‌ଆର୍‌ସି କହିଛନ୍ତି, ‘ଅମ୍ଫାନ’ ଏବେ ପାରାଦୀପ ଠାରୁ ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗରେ ଗତି କରୁଛି। ୧୧ଟା ମଧ୍ୟରେ ଏହା ପାରାଦୀପ ଅତିକ୍ରମ କରିବ। ଅପରାହ୍ନ ୪ଟାରୁ ୪.୩୦ ମଧ୍ୟରେ ଏହା ଭୋଗରାଇ ଓ ତାଳସାରି ଅତିକ୍ରମ କରିବ। ରାତି ୮.୩୦ରୁ ୧୦.୩୦ ମଧ୍ୟରେ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନା ରହିଛି।

ସେ କହିଛନ୍ତି, ‘ଅମ୍ଫାନ’ ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷା ହେଉଛି। ବିଭିନ୍ନ ସ୍ଥାନରେ ଗଛ ପଡ଼ିଛି। ଅନ୍ୟ କୌଣସି କ୍ଷୟକ୍ଷତିର ସୂଚନା ଆସିନାହିଁ। ୧ ଲକ୍ଷ ୩୭ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ଏହା ପୂର୍ବରୁ ‘ଅମ୍ଫାନ’ ଦିଗ ବଦଳାଇ ପାରାଦୀପ ଠାରୁ ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗରେ ଗତି କରୁଥିବା କହିଥିଲେ। ସେ କହିଥିଲେ, ଅପରାହ୍ନରେ ଦୀଘା ଓ ହାତିଆ ମଧ୍ୟବର୍ତ୍ତୀ ସୁନ୍ଦରବନ ପାଖରେ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବା ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ପରେ କୋଲକାତା ପାଖରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ଏହା ଗତି କରିବ।