କଟକରେ କମିଛି ସଂକ୍ରମିତଙ୍କ ସଂଖ୍ୟା: ସିଏମ୍‌ସି କମିସନର

କଟକ: ଗତ ସପ୍ତାହକ ମଧ୍ୟରେ କଟକ ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । କଟକରେ କରୋନା ସ୍ଥିତି ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସିଏମସି କମିଶନର ଅନନ୍ୟା ଦାଶ । ସେ କହିଛନ୍ତି ଯେ, ସହରରେ ଜୁଲାଇ ୩୧ ଯାଏ ଲକଡାଉନ୍ ଜାରି ରହିଥିବା ବେଳେ ଏହି ସମୟରେ କରୋନା ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ କରାଯାଉଛି । କଟକ ମହାନଗର ନିଗମ ଓ ଗ୍ରାମାଂଚଳରେ ଘରକୁ ଘର ଯାଇ ସର୍ଭେ କରାଯାଉଛି । ସଂକ୍ରମଣର ଲକ୍ଷଣ ଥିବା ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଉଛି।

ସିଏମସି କମିଶନର ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, କଟକରେ ଆଂଟିଜେନ୍ ଟେଷ୍ଟ ମଧ୍ୟ ଆରମ୍ଭ ହୋଇଯାଇଛି । କରୋନା ମୁକାବିଲା ପାଇଁ ଏସସିବିରେ ଅଧିକ ଅସ୍ଥାୟୀ ଓପିଡି ପାଇଁ ଯୋଜନା କରାଯାଉଛି । ଲକ୍ଷଣ ନଥିବା ଆକ୍ରାନ୍ତଙ୍କ ପାଇଁ ୩ଟି କୋଭିଡ୍ କେୟାର ସେଂଟର କରାଯାଉଛି। ଏହା ଗୋପାଳପୁର, ବିଦ୍ୟାଧରପୁର ଏବଂ ଓଏଟିରେ ଖୋଲାଯିବ । ଲୋକେ ବାହାରକୁ ଯିବା ପୂର୍ବରୁ ମାସ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ସିଏମସି କମିଶନର ପରାମର୍ଶ ଦେଇଛନ୍ତି ।