ଓଡ଼ିଶାବାସୀଙ୍କ ତ୍ୟାଗ ଆମକୁ କୋଭିଡ ଓ ବାତ୍ୟା ଭଳି କଠିନ ପରିସ୍ଥିତିର ମୁକାବିଲା ପାଇଁ ପ୍ରେରଣା ଦେଇଛି: ମୁଖ୍ୟମନ୍ତ୍ରୀ

କୋଭିଡ ଓ ବାତ୍ୟା ପୁନର୍ଗଠନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସି ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ଏବଂ ବାତ୍ୟା ପୁନର୍ଗଠନ ସମ୍ପର୍କରେ ସମୀକ୍ଷା କରିଥିଲେ ।

ମୁଖ୍ୟମନ୍ତ୍ରଈ କହିଥିଲେ ଯେ, କରୋନା ସଂକ୍ରମଣ ଯୋଗୁ ଗତ ୨ମାସ ହେଲା ଆମେ ଲକ ଡାଉନ୍ ପରିସ୍ଥିତିରେ ରହିଅଛୁ । ଏହି ୨ମାସ ମଧ୍ୟରେ ଆମେ ଅନେକ ଶିକ୍ଷାଲାଭ କରିଛୁ । ବୈଜ୍ଞାନିକ, ସାମାଜିକ ତଥା ପ୍ରଶାସନିକ ଉପଲବ୍ଧି ହାସଲ କରିଛୁ । ଏହି ଉପଲବ୍ଧିକୁ ଭିତିକରି ଆମକୁ ଭବିଷ୍ୟତ ପାଇଁ କୌଶଳ ପୁନଃ ନିର୍ଦ୍ଧାରଣ କରିବାକୁ ହେବ । ଯାହାଦ୍ୱାରା ଆମେ ସଂକ୍ରମଣକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ସହିତ ଜୀବନଜୀବିକା ଏବଂ ଅର୍ଥନୈତିକ କାର୍ଯ୍ୟକ୍ରମକୁ ସ୍ୱାଭାବିକ୍ ଅବସ୍ଥାକୁ ଫେରାଇ ଆଣିପାରିବ ।

ଭାରତ ବିଶେଷକରି ଆମ ଓଡ଼ିଶାରେ କରୋନା ସଂକ୍ରମଣର ଗତି ସମ୍ପର୍କରେ ମିଳିଥିବା ଅନୁଭୂତି ଆମକୁ ଆଶା ଦେଖାଇଛି ଯେ କଡାକଡି ସାମାଜିକ ଦୂରତ୍ୱ, ମାସ୍କର ବ୍ୟବହାର ଏବଂ ବାରମ୍ବାର ହାତ ଧୋଇବା ଦ୍ୱାରା ଆମେ ଏହି ମହାମାରୀକୁ ସଫଳ ଭାବେ ନିୟନ୍ତ୍ରଣ କରିପାରିବା ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସାମାଜିକ ଦୂରତାକୁ ସାମାଜିକ ବାସନ୍ଦ ବୋଲି ଭାବିବା ଉଚତ ନୁହେଁ । ବ୍ୟାପକ ସଚେତନତା ସହ କଠୋର ଶୃଙ୍ଖଳା ବର୍ତମାନ ପରିସ୍ଥିତିର ଆବଶ୍ୟକତା । ଏହା ହିଁ ଚଳିତ ସପ୍ତାହରେ ଆମ ପାଇଁ ଲକ୍ଷ୍ୟ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ରାଜ୍ୟରେ ବାଧ୍ୟତାମୂଳକ ସଙ୍ଗରୋଧ ବ୍ୟବସ୍ଥା ଆଇସିଏମଆର ସୁପାରିଶ ଅନୁଯାୟୀ କରାଯାଇଛି । ସେହିପରି ସଙ୍ଗରୋଧକୁ ଆବଶ୍ୟକତା ଭିତିରେ ବୃଦ୍ଧି କରିବା ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ଦିଆଯାଇଛି । କରୋନା ଯୁଦ୍ଧରେ ନିଜର ସବୁକିଛି ତ୍ୟାଗ କରି ଦିନରାତି କାମ କରୁଥିବା ବ୍ୟକ୍ତିମାନଙ୍କ ପ୍ରତିବଦ୍ଧତାର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିମାନ ଓ ରେଳସେବା ଆରମ୍ଭ ହେବା ଦ୍ୱାରା ଆଗାମୀ ୧୫ଦିନରୁ ଏକ ମାସ ପର୍ଯ୍ୟନ୍ତ ଆମ ପାଇଁ ଅଧିକ ଆହ୍ୱାନମୂଳକ ହେବ । କିନ୍ତୁ ମାନବିକତାକୁ ଆଗରେ ରଖି ବୃତିଗତ ଦକ୍ଷତା ସହ ଆମେ ପରିସ୍ଥିତିର ଉଚିତ ମୁକାବିଲା କରିପାରିବା ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।