ଦେଶର ୧୦ କ୍ଷମତାଶାଳୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦ ପ୍ରଭାବଶାଳୀ ଭାରତୀୟଙ୍କ ମଧ୍ୟରେ ୧୦ ନମ୍ବର ସ୍ଥାନରେ ରହିଛନ୍ତି । ଫେମ ଇଣ୍ଡିଆ ପତ୍ରିକା ଓ ଏସିଆ ପୋଷ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି । ତାଲିକାର ୧୧ତମ ସ୍ଥାନରେ ରହିଛନ୍ତି ଆଉ ଜଣେ ଓଡ଼ିଆ । ସେ ହେଉଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ପି.କେ.ମିଶ୍ର ।

ଏହି ରିପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଶର ସବୁଠାରୁ କ୍ଷମତାଶାଳୀ ବ୍ୟକ୍ତି ବୋଲି କୁହାଯାଇଛି । ସେ ୧ ନମ୍ବର ସ୍ଥାନରେ ଥିବାବେଳେ ୨ୟ ସ୍ଥାନରେ ରହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ୩ୟ ସ୍ଥାନରେ ଅଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ।

ଓଡ଼ିଶାର ଅପ୍ରତିଦ୍ୱନ୍ଦୀ ନେତା ଭାବେ ନବୀନ ପଟ୍ଟନାୟକ ଲଗାତର ୫ ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ଲଗାତାର ଦୁଇ ଦଶନ୍ଧୀରୁ ଅଧିକ ସମୟ ଧରି ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ମଧ୍ୟ ରାଜ୍ୟ ରାଜନୀତିରେ ତାଙ୍କର ପ୍ରଭାବ ଦିନକୁ ଦିନ ବଢିଚାଲିଛି । ତାଙ୍କ ନେତୃତ୍ୱରେ ଓଡ଼ିଶା ଅନେକ କ୍ଷେତ୍ରରେ ଆଗୁଆ ହୋଇପାରିଛି । ଓଡ଼ିଶା ଆଜି ଦେଶର ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହୋଇଥିବାବେଳେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସମଗ୍ର ଦେଶରେ ଏକ ଆଦର୍ଶ ରାଜ୍ୟର ମାନ୍ୟତା ପାଇଛି । ପୂର୍ବରୁ ମଧ୍ୟ କରାଯାଇଥିବା କେତେକ ସର୍ଭେରେ ତାଙ୍କୁ ଦେଶର କ୍ଷମତାଶାଳୀ ନେତା ତାଲିକାରେ ରଖାଯାଇଥିଲା ।