କେନ୍ଦ୍ରୀୟ ପାଣ୍ଠିର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା

କେନ୍ଦ୍ର ସରକାରଙ୍କ ସହ ଉପଯୁକ୍ତ ସମନ୍ୱୟ ରଖି ପାଣ୍ଠି ଯୋଗାଡ଼ ଓ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ଆଗେଇ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ପ୍ରଣୀତ ବିଭିନ୍ନ ସ୍କିମ୍ ଏବଂ କେନ୍ଦ୍ରୀୟ ପାଣ୍ଠିର ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିଲ୍ଲୀର ଓଡ଼ିଶା ଭବନଠାରେ ସମୀକ୍ଷା କରିଛନ୍ତି । ଏସବୁ ପ୍ରକଳ୍ପ କାର୍ଯ୍ୟକାରିତାରେ ୫-ଟି ଆଧାରକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ । ତେବେ ସମୀକ୍ଷା ବେଳେ ଲୋକାଭିମୁଖୀ ପ୍ରକଳ୍ପଗୁଡ଼ିକ ପାଇଁ ଆବଶ୍ୟକ ୬ ହଜାରରୁ ଅଧିକ କୋଟି ଟଙ୍କାର ପାଣ୍ଠି କେବେ ଆସିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ । କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଉପଯୁକ୍ତ ସମନ୍ୱୟ ରଖି ପାଣ୍ଠି ଯୋଗାଡ଼ ଓ ପ୍ରକଳ୍ପ କାର୍ଯ୍ୟଗୁଡ଼ିକ ଆଗେଇ ନେବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଚଳିତ ନଭେମ୍ବର ୭ ସୁଦ୍ଧା କେନ୍ଦ୍ର ପ୍ରଣୀତ ସ୍କିମ୍(ସିଏସଏସ) ନିମନ୍ତେ ୭୫୪୪ କୋଟି ଟଙ୍କାର କେନ୍ଦ୍ରୀୟ ପାଣ୍ଠି ପ୍ରଦାନ କରାଯାଇଛି । ତେବେ ବିଏମଏୱାଇ, ମନରେଗା, ଏନଏସଏପି, ପିଏମଜିଏସୱାଇ ଭଳି ଲୋକାଭିମୁଖୀ ଯୋଜନା ପାଇଁ ଆଉ ୬ ହଜାର କୋଟିରୁ ଅଧିକ ପାଣ୍ଠି ଆବଶ୍ୟକ ଥିବା ରାଜ୍ୟ ସରକାର ଆଶା ରଖିଛନ୍ତି । ଏ ଦିଗରେ ଅଧିକାରୀମାନେ ଧ୍ୟାନ ଦେଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ସମନ୍ୱୟ ଓ ଦାୟିତ୍ୱରେ ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଥିଲେ ।

ସେହିଭଳି ୫-ଟିର କାର୍ଯ୍ୟକାରିତାକୁ ପ୍ରମୁଖତା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଫଳପ୍ରଦ ଓ ଲୋକାଭିମୁଖୀ ପ୍ରଶାସନ ପାଇଁ ଏହା ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇଥିବାରୁ ଏ ଦିଗରେ ଅଧିକ ଧ୍ୟାନ ଦେବାକୁ ଦିଲ୍ଲୀ ଆବାସିକ କମିଶନର, ସ୍ୱତନ୍ତ୍ର ଆବାସିକ କମିଶନର ଓ ଅନ୍ୟାନ୍ୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଦିଲ୍ଲୀରେ ପ୍ରସ୍ତାବିତ ଓଡ଼ିଶା ସଂସ୍କୃତି କେନ୍ଦ୍ର ପାଇଁ ଜାଗା ଆବଣ୍ଟନ କାର୍ଯ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କର ଏହି ସମୀକ୍ଷା ବୈଠକରେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଙ୍କ ସମେତ ଆବାସିକ କମିଶନର ତଥା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।