ରାଜ୍ୟରେ ମହିଳା ହିଂସାକୁ ରୋକିବାରେ ରାଜ୍ୟ ସରକାରଙ୍କ ବିଫଳତା ବିରୁଦ୍ଧରେ ରାଜ୍ୟପାଳଙ୍କୁ ବିଜେପି ମହିଳା ମୋର୍ଚ୍ଚାର ସ୍ମାରକ ପତ୍ର ପ୍ରଦାନ
ଭୁବନେଶ୍ୱର : ରାଜ୍ୟରେ ନାରୀମାନଙ୍କ ପ୍ରତି ଦିନକୁ ଦିନ ଦୁଷ୍କର୍ମ ବଢିବାରେ ଲାଗିଛି । ରାଜ୍ୟରେ କ୍ରମବର୍ଦ୍ଧିଷ୍ନୁ ନାରୀ ନିର୍ଯ୍ୟାତନା ସଭ୍ୟ ସମାଜ ପାଇଁ ବିପଦ ହୋଇପଡିଛି । ବହୁଚର୍ଚ୍ଚିତ କୁନ୍ଦୁଲୀ ଏବଂ ସାଲେପୁର ନାବାଳିକା ଦୁଷ୍କର୍ମ ଘଟଣା ପରେ ରାଜ୍ୟର ଅଗଣିତ ମାଁ ଓ ଭଉଣୀମାନଙ୍କ ମନ ଭିତରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଶାସକ ବିଜେଡି ମହିଳାମାନଙ୍କୁ ସୁରକ୍ଷା ଯୋଗାଇବାରେ ସଂପୂର୍ଣ୍ଣ ରୂପେ ଫେଲ୍ ହୋଇଛି । ୨୦୧୭ ମସିହାରେ ରାଜ୍ୟରେ ୧୨୮୩ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା କଥାକୁ ଖୋଦ୍ ମୁଖ୍ୟମନ୍ତ୍ରୀ ବିଧାନସଭା ଗୃହରେ ସ୍ୱୀକାର କରିଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ବିହୀତ ପଦକ୍ଷେପ ନିଆଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ବିଧାନସଭାରେ ନିର୍ଭର ପ୍ରତିଶୃତି ଦେବା ସତ୍ୱେ ପ୍ରତିଦିନ ଏଭଳି ଅମାନୁଷିକ ଘଟଣା ଘଟିଚାଲିଛି । ନାବାଳିକା ଦୁଷ୍କର୍ମ ବର୍ତମାନ ରାଜ୍ୟବାସୀଙ୍କ ମୁଣ୍ଡ ବ୍ୟଥାର କାରଣ ସାଜିଥିବାବେଳେ ଅନ୍ୟ ପଟେ ରାଜ୍ୟ ସରକାର ନିଶ୍ଚିନ୍ତରେ ଶୋଇ ରହି ଅପରାଧୀମାନଙ୍କୁ ସୁରକ୍ଷା ଯୋଗାଇବା ଅତ୍ୟନ୍ତ ଲଜ୍ଜାଜନକ । ରାଜ୍ୟରେ ମହିଳାମାନଙ୍କ ପ୍ରତି ହେଇଥିବା ହିଂସା ଏବଂ ଏହାକୁ ରୋକିବାରେ ରାଜ୍ୟ ସରକାରଙ୍କ ବିଫଳତା ବିରୁଦ୍ଧରେ ଆଜି ବିଜେପି ମହିଳା ମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ବିନା ଲାଇସେନ୍ସରେ ରାଜ୍ୟର ସହରାଂଚଳ ସମେତ ଗ୍ରାମାଂଚଳରେ ବହୁ ମଦ ଦୋକାନ ଖୋଲାଯାଇଛି । ବେଧଡକ ଓ ବହୁଳ ପରିମାଣର ମାଦକ ଦ୍ରବ୍ୟ କାରବାର କାରଣରୁ ଦିନକୁ ଦିନ ନିଶାସକ୍ତଙ୍କ ଉତ୍ପାତ ବଢିବା ସହ ମହିଳା ନିର୍ଯ୍ୟାତନା ବୃଦ୍ଧିର କାରଣ ସାଜିଛି । ଅନେକାଂଶରେ ମଦ ହିଁ ମହିଳା ହିଂସାର ପ୍ରମୁଖ କାରଣ ପାଲଟୁଛି ବୋଲି ଏହି ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କ ପାଖରେ ଅଭିଯୋଗ କରିଛି ।
ମହିଳା ଶିଶୁ ଡେକ୍ସ ସବୁ ଥାନାରେ ଅକ୍ଷମ ଅବସ୍ଥାରେ ରହିଛି । ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଥାନାରେ ଏତଲା ଦେଲେ ପୋଲିସ ଏତଲା ଗ୍ରହଣ ନକରି ପୀଡିତାମାନଙ୍କ ସହ ଅଭଦ୍ର ଅଶାଳୀନ ବ୍ୟବହାର କରୁଛି । ଏଭଳି ଅମାନବୀୟ ଓ ଅମାନୁଷିକ ଘଟଣାର ଏତଲା ରଖିବାକୁ ଶାସକ ଦଳର ଚାପରେ ପୋଲିସ ବାରଣ କରିଦେଉଛି । ଯଦିଓ ବାଧ୍ୟବାଧକତାରେ ପୋଲିସ ଏତଲା ଗ୍ରହଣ କରୁଛି, ମାତ୍ର ଅଭିଯୁକ୍ତଙ୍କ ଉପରେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାର ମାନ୍ୟବର ରାଜ୍ୟପାଳଙ୍କୁ ମହିଳା ମୋର୍ଚ୍ଚାର ପ୍ରତିନିଧି ଦଳ ଅବଗତ କରାଇଛି ।
ମାନ୍ୟବର ସୁପ୍ରିମକୋର୍ଟଙ୍କ ‘ବିଶାଖା ଗାଇଡଲାଇନ” ଅନୁଯାୟୀ କର୍ମଜୀବୀ ମହିଳାମାନଙ୍କୁ ତାଙ୍କ କର୍ମ ସଂସ୍ଥାରେ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଥିବା ଗୃହ ବିଭାଗର ମୁଖ୍ୟ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପୋଲିସ ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ ଖୋଲା ଖୋଲି ଭାବେ ଉଲଂଘନ କରିଚାଲିଥିବାର ଏହି ପ୍ରତିନିଧି ଦଳ ଅଭିଯୋଗ କରିଛି ।
ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ପୋଲିସ ‘ପରୀ ରଥ’ରୁ ମାଧ୍ୟମରେ ନିଜର ଅସଫଳତାର କାହାଣୀ ରାଜ୍ୟସାରା ବଖାଣିଥିଲା । ଝିଅମାନେ ପରୀ ନୁହଁନ୍ତି ସେମାନଙ୍କ ସହ ମଣିଷ ଭଳି ବ୍ୟବହାର କରିବା ଉଚିତ୍ । ରାଜ୍ୟ ସରକାର ପୋଲିସକୁ ‘ପରୀ ରଥ’ରୁ ମୁକ୍ତ କରି ଆଇନର ସୁରକ୍ଷା ଏବଂ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ମହିଳା ବନ୍ଧୁ ଭାବେ ପୋଲିସ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଥିବା ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଶ୍ରୀମତି ପ୍ରଭାତୀ ପରିଡା କହିଛନ୍ତି ।
ମହିଳା ସୁରକ୍ଷା ଯାତ୍ରା ମାଧ୍ୟମରେ ରାଜ୍ୟର ସମସ୍ତ ମହିଳାମାନଙ୍କୁ ସେମାନଙ୍କୁ ସୁରକ୍ଷା ସଂପର୍କରେ ସଚେତନ କରାଇବା ସହ ସେମାନଙ୍କ ମୌଳିକ ଅଧିକାର ସଂପର୍କରେ ଅବଗତ କରାଯାଇଥିଲା । ଏହି ଯାତ୍ରା ମାଧ୍ୟମରେ ୨୭୩ ପଦଯାତ୍ରା, ୨୧୩ ପଥପ୍ରାନ୍ତ ସଭା, ୨୫୫ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ୧୧ ଦିନ ଏହି ଯାତ୍ରା ମଧ୍ୟରେ ୮୫୦୦ରୁ ଉଦ୍ଧ୍ୱର୍ ସ୍ୱେଚ୍ଛାସେବୀଙ୍କ ଯୋଗଦାନରେ ବିଜେପି ମହିଳା ମୋର୍ଚ୍ଚା ୩ ଲକ୍ଷ ୬୦ ହଜାର ମହିଳାଙ୍କ ପାଖରେ ପହଂଚି ତୃଣମୂଳ ସ୍ତରରେ ମହିଳାମାନଙ୍କ ଅଭିଯୋଗ ଶୁଣିବା ସହ ତଥା ମହିଳାଙ୍କ ପ୍ରତି ପୋଲିସର ଅମାନବୀୟ ବ୍ୟବହାର ସଂପର୍କରେ ଅବଗତ ହୋଇଥିବା ଏହି ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ।
ଏହି ପ୍ରତିନିଧୀ ଦଳରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଶ୍ରୀମତି ସୁରମା ପାଢୀ, ପୂର୍ବତନ ସାସଂଦ ଶ୍ରୀମତି ସଙ୍ଗୀତା ସିଂହଦେଓ, ରାଜ୍ୟ ବିଜେପି ଉପସଭାନେତ୍ରୀ ଶ୍ରୀମତି ସୁକେଶୀ ଓରାମ, ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତି କାନନବାଳା ପଟ୍ଟନାୟକ, ଶ୍ରୀମତୀ ନିୟତି ଗିରି ଏବଂ ଡ. ଐଶ୍ୱର୍ଯ୍ୟା ବିଶ୍ୱାଳ ପ୍ରମୁଖ ସାମିଲ ଥିଲେ ।
(ବିଜେପି ମିଡିଆ ସେଲ୍)