ବାଙ୍କୀ ଡବଲ ମର୍ଡର ଘଟଣା: ଆଉ ଜଣେ ଗିରଫ

ବାଙ୍କୀ: ବହୁଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡର ଘଟଣାରେ ଆଉ ଜଣଙ୍କୁ ପୋଲିସ ଗିରଫ କରିଛି । ମଙ୍ଗଳବାର ପୋଲିସ ଖଜୁରିପଦା ଗ୍ରାମର ଭରତ ପ୍ରଧାନ(୩୮)ଙ୍କୁ ନୟାଗଡ଼ରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭରତ ଏହି ହତ୍ୟାକାଣ୍ଡ ସହିତ ସିଧାସଲଖ ଜଡିତ ଓ ହତ୍ୟାକାଣ୍ଡ ସମୟରେ ସେ ସେହି ସ୍ଥାନରେ ଉପସ୍ଥିତ ଥିଲେ। ଭରତ ଗିରଫ ହେବା ପରେ ଏହି ହତ୍ୟା ଘଟଣାରେ ଗିରଫଦାରୀ ସଂଖ୍ୟା ୫ରେ ପହଂଚିଛି।

ଅନ୍ୟପଟେ ଏହି ଡବଲ ମର୍ଡର ଘଟଣାରେ ଏବେ ବି ୧୦ରୁ ଅଧିକ ଦୁର୍ବୃତଙ୍କୁ ଧରିପାରିନି ପୋଲିସ। ଫେରାର ଅଭିଯୁକ୍ତମାନେ ନୟାଗଡ଼, ଖୋର୍ଦ୍ଧା ଓ ରାଜଧାନୀ ଅଂଚଳରେ ଲୁଚିଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଷଡ଼୍‌ଯନ୍ତ୍ରକାରୀ କାଳିଆ ଓରଫ୍‌ ସୁଶାନ୍ତ ପ୍ରଧାନ (୪୦), ବଳଭଦ୍ର ପ୍ରଧାନ ଓରଫ୍‌ ବଳିଆ, ଜିତୁ ଓରଫ୍‌ କାଳିଆ ଓରଫ୍‌ ଜିତେନ୍ଦ୍ର ସ୍ବାଇଁଙ୍କୁ ରିମାଣ୍ଡରେ ଆଣିବା ପାଇଁ ବାଙ୍କୀ ପୋଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିବା ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଉଲ୍ଲେଖ୍ୟ, ସରପଂଚ ମମତା ମହାପାତ୍ରଙ୍କ ସ୍ବାମୀ ଭଗବାନ ସ୍ବାଇଁ, ଆଦିତ୍ୟ ରଣସିଂହ ଓ ବବୁଲୁ ଓରଫ୍‌ ରଞ୍ଜନ ସିଂହ ଗତ ୧୫ତାରିଖ ଦିନ ବାଙ୍କୀ ବ୍ଲକ୍‌ରୁ କାମ ସାରି ବାଇକ୍‌ରେ ଗାଁକୁ ‌ଫେରୁଥିବା ବେଳେ ବାଙ୍କୀ-କଳାପଥର ରାସ୍ତାର ଜୋକଲାଞ୍ଜି ଡ୍ୟାମ ନିକଟ ନିଛାଟିଆ ରାସ୍ତାରେ ଯୋଜନାବଦ୍ଧ ଭାବେ ଦୁର୍ବୃତମାନେ ଟାଙ୍ଗିଆ ଓ ଖଣ୍ଡାରେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଭଗବାନ ଓ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବା ବେଳେ ବବଲୁ ଅକ୍ଷତ ଅବସ୍ଥାରେ ବର୍ତି ଯାଇଥିଲେ।