ଭୁବନେଶ୍ୱର : ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହାର ପ୍ରଭାବରେ ଆଜି ଠାରୁ ୭ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା, ପବନ ଓ ବଜ୍ରପାତ ନେଇ ପାଣିପାଗ ବିଭାଗ ୧୮ଟି ଜିଲ୍ଲାକୁ ସତର୍କ କରାଇଛି । ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି ।
ସେହିପରି ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍ଆର୍ ବିଶ୍ୱାସ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଓଡ଼ିଶା ଉପକୂଳରେ ସୃଷ୍ଟ ଲଘୁଚାପ କ୍ରମଶଃ ଅବପାତର ରୂପ ନେଉଛି । ଫଳରେ ଓଡ଼ିଶାର ଏକାଧିକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ଡ. ବିଶ୍ୱାସ କହିଛନ୍ତି । ୮ ତାରିଖରୁ ବର୍ଷା କମିବା ସହ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବାକୁ ଲାଗି ବାରଣ କରାଯାଇଛି । ରାଜଧାନୀ ଭୁବନେଶ୍ୱର ସହିତ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବାରିପଦାରେ ସର୍ବାଧିକ ୩୫ ମିମି ବର୍ଷା ହୋଇଛି । କେନ୍ଦୁଝରଗଡ଼ରେ ୨୩.୨ ମିମ ଓ ଟିଟିଲାଗଡ଼ରେ ୨୨.୪ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।