ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷାରେ ଜଳ ବନ୍ଦୀ ହୋଇଥିଲା କଟକ ,ଭୁବନେଶ୍ୱର ଓ ସମ୍ବଲପୁର ଭଳି ସହର । ଏହା ସହ ରାଜ୍ୟରେ ବନ୍ୟାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟ କ୍ଷତି ହେବା ସହ ଲୋକେ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଏସବୁ ଅଞ୍ଚଳରେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ବିଭିନ୍ନ ତୈଳ କମ୍ପାନୀ । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ( ଆଇଓସିଏଲ) ବିପିସିଏଲ୍ ଓ ଏଚ୍ପିସିଏଲ୍ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟାଯାଇଛି। ଭୁବନେଶ୍ୱରର ସତ୍ୟ ନଗର ସ୍ଥିତ ସତ୍ୟକାଳୀ ବସ୍ତି ଓ ଡମଣାସ୍ଥିତ ନୀଳ ପଡ଼ିଆ ବସ୍ତି ସମେତ କଟକ, କଳାହାଣ୍ଡି, ବରଗଡ଼, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ ଜଳପ୍ଲାବିତ ଲୋକଙ୍କୁ କମ୍ପାନୀଗୁଡ଼ିକ ପକ୍ଷରୁ ବିଭିନ୍ନ ଆବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି।
ଗତ ୨୦ ତାରିଖରୁ ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ସାମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟର ପ୍ରଭାବିତ ଅଞ୍ଚଳରେ କିରୋସିନ, ଏଲପିଜି, ପେଟ୍ରୋଲ ଓ ଡିଜେଲ୍ ଭଳି ଅନ୍ୟାନ୍ୟ ଆବଶ୍ୟକ ଇନ୍ଧନ କିପରି ନିରବଚ୍ଛିନ୍ନ ଭାବେ ଯୋଗାଣ ହୋଇପାରିବ, ତା’ ଉପରେ ଦୃଷ୍ଟି ଦେବାକୁ ବିଭିନ୍ନ ତୈଳ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ପାଇବା ପରେ ତୈଳ କମ୍ପାନୀମାନଙ୍କ ରାଜ୍ୟସ୍ତରୀୟ ସଂଯୋଜକ ପ୍ରୀତିଶ ଭାରତ କମ୍ପାନୀମାନଙ୍କ ସହ ଜରୁରୀ ବୈଠକ କରିଥିଲେ। ଏହି ବୈଠକରେ ସାମ୍ଭାବ୍ୟ ବନ୍ୟା ସମ୍ପର୍କରେ ଆଲୋଚନା ହେବା ସହ କିରୋସିନ, ଏଲପିଜି ଓ ଅନ୍ୟାନ୍ୟ ଆବଶ୍ୟକ ଇନ୍ଧନର ନିରବଚ୍ଛିନ୍ନ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ବିଭିନ୍ନ ଅଧିକାରୀ ତଦାରଖ କରିବେ ବୋଲି କୁହାଯାଇଥିଲା। ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ନଜର ରଖିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା।