ଭୁବନେଶ୍ୱର : କେନ୍ଦ୍ର ସରକାର ଆୟୁଷ୍ମାନ ଯୋଜନାକୁ ଲାଗୁ କରିବା ନେଇ କହିସାରିଥିବା ବେଳେ ବର୍ତମାନ ରାଜ୍ୟ ସରକାର ଏହାର ନାମକୁ ପରିବର୍ତନ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କରିଥିବା ଅଭିଯୋଗ ହେଉଛି । ଏପରି କି ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରାଯିବ ନାହିଁ ବୋଲି କହିଛନ୍ତି ରାଜ୍ୟ ସରକାର । ଏହି ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଧର୍ମେନ୍ଦ୍ର କହିଛନ୍ତି କି, ଯୋଜନାକୁ ମୁଖ୍ୟମନ୍ତ୍ରୀ ବିରୋଧ କରିବା ଉଚିତ୍ ନୁହେଁ । ଏହାକୁ କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧ ନ କରାଯିବା ଦରକାର । ଏହା ସହ ଏ ସମ୍ପର୍କିତ ରାଜ୍ୟ ସରକାର ଦେଇଥିବା ତଥ୍ୟକୁନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ରମନ୍ତ୍ରୀ । ଆୟୁଷ୍ମାନ ଯୋଜନାରେ ରାଜ୍ୟର ୬୧ ଲକ୍ଷ ପରିବାର ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ କହିବା ସହ ରାଜ୍ୟ ସରକାର ୭୦ ଲକ୍ଷ ପରିବାରର ହିସାବ କେଉଁଠୁ ଆଣିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ସୂଚନାଯୋଗ୍ୟ କି, ଆଜି ସକାଳେ ବିଜେଡିର ମୁଖପାତ୍ର ପ୍ରତାପ ଦେବ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ବିରୋଧ କରିବା ସହ ଯୋଜନାକୁ କେନ୍ଦ୍ର ଯୋଜନାର ହାଇଜାକ୍ କୁହାଯାଉଥିବାକୁ କଟାକ୍ଷ କରିଥିଲେ । ୨୦୧୪ ମସିହା ନିର୍ବାଚନ ଇସ୍ତାହାରରେ ବିଜେଡି ସ୍ବାସ୍ଥ୍ୟସେବା ଯୋଗାଇବାର ପ୍ରତିଶୃତି ଦେଇଥିଲା ବୋଲି କହିଛନ୍ତି ପ୍ରତାପ । ଏହା ସହ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ୧୫ ଅଗଷ୍ଟରୁ ଲାଗୁ ହେବ ବୋଲି ସରକାର ଘୋଷଣା କରିଥିବା ବେଳେ କେନ୍ଦ୍ରସରକାର କେବେ ଲାଗୁ କରିବେ ସେନେଇ ସ୍ପଷ୍ଟ କରିନାହାନ୍ତି ।
ଏହି ଯୋଜନାରେ କେନ୍ଦ୍ର ସରକାରଙ୍କ ଘୋଷଣାରେ ଓଡିଶାରେ ୨ କୋଟି ଲୋକ ଉପକୃତ ହେବେ ହେବେ । ଯେଉଁଥିରେ ସହରାଞ୍ଚଳର ୯୨ ପ୍ରତିଶତ ଲୋକ ବାଦ ପଡିଯିବେ । ଏହି ସମସ୍ତ ଘଟଣାକୁ ନେଇ ରାଜ୍ୟ କେନ୍ଦ୍ର ସରକାରଙ୍କୁ ଅବଗତ କରିଥିବା ସେ କହିଛନ୍ତି ।