କଂଗ୍ରେସର ମିଶ୍ରଣ ପର୍ବ : ବାହୁଡିଲେ ଦଳ ଛାଡିଥିବା ପୁରୁଣା ନେତା  

ଭୁବନେଶ୍ବର : କଂଗ୍ରେସର ମିଶ୍ରଣ ପର୍ବ । ଘରକୁ ବାହୁଡ଼ିଲେ କାର୍ତିକ ପାତ୍ର, ଆର୍ଯ୍ୟ ଜ୍ଞାନେନ୍ଦ୍ର, ଅଶୋକ ସାମଲ ପ୍ରମୁଖ ଅନେକ ନେତା । ନିଜର ଶହ ଶହ ସମର୍ଥକଙ୍କ ସହ ଏହି ନେତାମାନେ କଂଗ୍ରେସକୁ ଫେରିଛନ୍ତି । ପିସିସି ପରିବର୍ତ୍ତନ ପରେ ଦଳ ଚଳଚଞ୍ଚଳ ହୋଇଥିବାରୁ ପୁଣି ମନ ଫେରାଇଛନ୍ତି ଏହି ନେତାମାନେ । ଅନ୍ୟଦଳରୁ ନଆଣି ପ୍ରଥମେ ନିଜ ଦଳର ନେତାଙ୍କ ଘର ବାହୁଡ଼ା ଯୋଜନା ଆରମ୍ଭ କରିଛି କଂଗ୍ରେସ ।

ପୁରୁଣା କଂଗ୍ରେସ ନେତାଙ୍କ ଘର ବାହୁଡ଼ା । ଦିନେ ଯେଉଁମାନେ କଂଗ୍ରେସ ଉଧେଇବନି ବୋଲି ଛାଡି ଚାଲି ଯାଇଥିଲେ, ସେମାନେ ଏବେ ଦଳକୁ ଫେରିବା ଆରମ୍ଭ କରିଛନ୍ତି । କଂଗ୍ରେସ ଛାଡ଼ି ତୃଣମୂଳ କଂଗ୍ରେସକୁ ଚାଲି ଯାଇଥିବା ପୂର୍ବତନ ବାଲେଶ୍ବର ସାଂସଦ କାର୍ତ୍ତିକ ପାତ୍ର, ପୂର୍ବତନ ମୁଖପାତ୍ର ଆର୍ଯ୍ୟ ଜ୍ଞାନେନ୍ଦ୍ର ଏବଂ ବିଜେଡିକୁ ଯାଇଥିବା ଅଶୋକ ସାମଲ ତାଙ୍କ ପୁରୁଣା ଦଳକୁ ଫେରିଛନ୍ତି । ଏମାନଙ୍କ ସହ ଆଉ କିଛି ନେତା ଓ ଶତାଧିକ କର୍ମୀ ପାର୍ଟି ଅଫିସରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ହାତରେ ହାତ ମିଳାଇଛନ୍ତି ।

ଦଳ ସଜାଡ଼ିବାରେ ଲାଗିଛି କଂଗ୍ରେସ । ପୂରା ପିସିସି ଟିମ୍ ରାଜ୍ୟ ସାରା ବୁଲି ବୁଲି କର୍ମୀଙ୍କ କନଫିଡେନ୍ସ ବଢାଉଛି । ୧୯ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ଦଳ, ବିଜେଡି ଓ ବିଜେପିକୁ ଚ୍ୟାଲେଞ୍ଜ ଦେବା ସ୍ଥିତିକୁ ଆସିବ କି ନାହିଁ ତାହା କହିହେବନି । କିନ୍ତୁ ନୂଆ ଜୋଶା ନେଇ ପିସିସି କାମ କରୁଛି । ସବୁ ଗୋଷ୍ଠୀଙ୍କୁ ସାଙ୍ଗରେ ନେଇ ଯିବାକୁ ଚେଷ୍ଟା କରୁଛନ୍ତି ନିରଞ୍ଜନ ଆଣ୍ଡ କୋ ।

ଖୁବ୍ ଶୀଘ୍ର ରାହୁଲ ଗାନ୍ଧିଙ୍କୁ ଆଣି ଏକ ବଡ଼ କାର୍ଯ୍ୟକ୍ରମ କରିବା ଯୋଜନାରେ ଅଛି ରାଜ୍ୟ କଂଗ୍ରେସ । ସେଥିପାଇଁ ଗ୍ରାଉଣ୍ଡ ଓାର୍କ କରୁଛି ଦଳ । କିଛି ନିର୍ବାଚନ ମଣ୍ଡଳୀ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା ପାଇଁ ମଧ୍ୟ ତାଲିକା ପ୍ରସ୍ତୁତ ହେଉଛି ।