ଓମାନ୍‌-ଦୁବାଇ ବସ୍‌ ଦୁର୍ଘଟଣା: ୧୭ ମୃତ

ନୂଆଦିଲ୍ଲୀ: ଓମାନ୍‌ରୁ ଆସୁଥିବା ଗୋଟାଏ ବସ୍‌ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ରେ ଏକ ରୋଡ୍‌ ସାଇନ୍‌ ଉପରେ ଧକ୍କା ଖାଇବାକୁ ଆଠ ଜଣ ଭାରତୀୟଙ୍କ ସମେତ ଅନ୍ୟୂନ ୧୭ ଜଣଙ୍କର ମୃତ୍ୟୁ ଘଟିଥିବା କଥା ଶୁକ୍ରବାର ଦିନ ଦୁବାଇସ୍ଥିତି ଭାରତୀୟ କନ୍‌ସୁଲେଟ୍‌ କହିଛି।

ମୃତ ଭାରତୀୟଙ୍କ ସଂଖ୍ୟା ୬ ବୋଲି ଗୁରୁବାର ଦିନ ପ୍ରାଥମିକ ରିପୋର୍ଟ ଆଧାରରେ କନ୍‌ସୁଲେଟ୍‌ ଘୋଷଣା କରିଥିଲା, କିନ୍ତୁ ପରେ ମୃତ୍ୟୁସଂଖ୍ୟା ବଢ଼ିଲା।

ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷ ଏବଂ ସମ୍ପର୍କୀୟମାନଙ୍କ କହିବା ଅନୁସାରେ ଦୁବାଇ ବସ୍‌ ଦୁର୍ଘଟଣାରେ ମୃତ ଭାରତୀୟଙ୍କ ସଂଖ୍ୟା ଏ ପର୍ଯ୍ୟନ୍ତ ୮। ଭୁଲ୍‌ ସୂଚନା ପାଇଁ ଆମେ ଦୁଃଖିତ। କେତେକ ମୃତବ୍ୟକ୍ତିଙ୍କ ଆତ୍ମୀୟଙ୍କ ସହ କନ୍‌ସୁଲେଟ୍‌ ସମ୍ପର୍କ ରଖିଛି ଏବଂ ଅନ୍ୟମାନଙ୍କର ପରିବାରକୁ ଜଣାଇବାକୁ ଅଧିକ ବିବରଣୀ ପାଇଁ ଅପେକ୍ଷା କରିଛି ବୋଲି କନ୍‌ସୁଲେଟ୍‌ ଟୁଇଟ୍‌ କରିଛି।

ମୃତବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ରାଜଗୋପାଳନ, ଫେରୋଜ ଖାଁ ପଠନ, ରେଶମା ଫେରୋଜ ଖାଁ ପଠାନ, ଦୀପକ କୁମାର, ଜମାଲୁଦୀନ୍‌ ଅରାକ୍କାବୀତ୍ତିଲ୍‌, କିରଣ ଜନି, ବାସୁଦେବ ଏବଂ ତିଳକରାମ ଜବାହର ଠାକୁର। ପ୍ରାଥମିକ ଚିକିତ୍ସା ପରେ ଅନ୍ୟ ୪ ଜଣ ଆହତ ଭାରତୀୟଙ୍କ ଛାଡ଼ି ଦିଆଯାଇଛି। ଅନ୍ୟ ତିନି ଜଣ ରଶିଦ୍‌ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଅଛନ୍ତି।
ଦୁବାଇ ପୁଲିସ ଶୁକ୍ରବାର ପ୍ରତ୍ୟୁଷରେ ଟୁଇଟର୍‌ରେ ମୃତ୍ୟୁସଂଖ୍ୟା ଘୋଷଣା କରିଛି।

ଖବର ଅନୁସାରେ, ଓମାନସ୍ଥିତ ସରକାରୀ ବସ୍‌ କମ୍ପାନି ମଓ୍ଵାସାଲତ୍‌ କହିଛି ଯେ ଗୁରୁବାର ସନ୍ଧ୍ୟା ୬ଟା ବେଳେ ତାହାର ମୁସ୍‌କାଟ୍‌-ରୁ-ଦୁବାଇ ରୁଟ୍‌ର ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ ରୋଡ୍‌ରେ ଦୁର୍ଘଟଣା ଘଟିଛି।