କ୍ୟାବିନେଟ ବୈଠକରେ ୧୭ପ୍ରସ୍ତାବକୁ ମଞ୍ଜୁରୀ,ସଂପ୍ରସାରିତ ହେବ ମିଲେଟ ମିଶନ

୪ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ହେବ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ ବୈଠକରେ ୧୭ପ୍ରସ୍ତାବରେ ବାଜିଲା ମୋହର । ସଂପ୍ରସାରିତ ହେବ ମିଲେଟ ମିଶନ । ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଂଜୁରୀ ମିଳିଛି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମିଲେଟ ମିଶନର ବିକାଶ ହେବ । ୪ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ହେବ । ସୁନ୍ଦରଗଡ଼ କୋଏଲ ନଦୀରେ ଇନଷ୍ଟ୍ରିମ୍ ବ୍ୟାରେଜକୁ ମଂଜୁରୀ ମିଳିଛି ।
ରାଜ୍ୟ କ୍ୟାବିନେଟରେ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଜେଜେଏମ୍‌‌ ଯୋଜନାରେ ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି । ରାଜ୍ୟର ଗ୍ରାମାଂଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି ।
ଢେଙ୍କାନାଳ ଜିଲ୍ଲାରେ ୪ ଗୋଟି ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ଇପିସି ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଉକ୍ତ ପ୍ରକଳ୍ପ ଦ୍ୱାରା ଉପରୋକ୍ତ ଜିଲ୍ଲାର ୪ ଗୋଟି ବ୍ଲକ ଅଧିନରେ ଥିବା ୭୧ଟି ଗ୍ରାମାପଂଚାୟତ ଅନ୍ତର୍ଗତ ୨୭୧ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୩୨୨୨୦୪ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମଧ୍ୟରୁ କାମାକ୍ଷାନଗର ବ୍ଲକ ଅଧୀନରେ ଥିବା ୧୩ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୪୬ଟି ଗ୍ରାମର ପ୍ରାୟ ୫୨୯୧୪ ଜଣ, ପରଜଂଗ ବ୍ଲକ ଅଧୀନରେ ଥିବା ୨୯ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୯୨ଟି ଗ୍ରାମର ପ୍ରାୟ୧୩୫୨୪୩ ଜଣ, କଙ୍କଡାହାଡ ବ୍ଲକ ଅଧୀନରେ ଥିବା ୨୧ ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୧୦୬ଟି ଗ୍ରାମର ପ୍ରାୟ ୯୬୯୭୩ ଜଣ ଓ ସଦର ବ୍ଲକ ଅଧୀନରେ ଥିବା ୮ ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୨୭ଟି ଗ୍ରାମର ପ୍ରାୟ ୩୭,୦୭୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହୋଇପାରିବେ ।
ବର୍ତ୍ତମାନ ରାଜ୍ୟ କ୍ୟାବିନେଟ୍‌‌ ଉପରୋକ୍ତ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସଂପାଦନ ନିମନ୍ତେ ଠିକାଦାର ସଂସ୍ଥା ଏମ୍‌‌/ଏସ୍‌‌ ଲକ୍ଷ୍ମୀ ସିଭିଲ ଇଂଜିନିୟରିଂ ସର୍ଭିସେସ୍‌‌ ପ୍ରାଇଭେଟ. ଲିମିଟେଡ କୋହ୍ଲାପୁର ୫୦୧ କୋଟି ୮୫ ଲକ୍ଷ ୮୧ ହଜାର ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ କରିଛନ୍ତି । ଉକ୍ତ ପ୍ରକଳ୍ପଗୁଡ଼ିକ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ୩‌ଗୋଟି ବ୍ଲକ ଅଧୀନରେ ଥିବା ୭୬ଟି ଗ୍ରାମପଂଚାୟତ ଅନ୍ତର୍ଗତ ୫୨୨ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୪୩୫୧୯୦ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିରୁ ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନରେ ଥିବା ୨୯ଟି ଗ୍ରାମପଂଚାୟତ ଅନ୍ତର୍ଗତ ୧୩୮ଟି ଗ୍ରାମର ପ୍ରାୟ ୧୫୫୩୩୪ ଜଣ, ରାଜନଗର ବ୍ଲକ ଅଧୀନରେ ଥିବା ୨୯ଟି ପଂଚାୟତ ଅନ୍ତର୍ଗତ ୨୪୯ଟି ଗ୍ରାମର ପ୍ରାୟ ୧୬୮୭୧୨ ଜଣ ଓ ଗରଦପୁର ବ୍ଲକ ଅନ୍ତର୍ଗତ ୧୮ଟି ପଂଚାୟତ ଅଧୀନରେ ଥିବା ୧୩୫ଟି ଗାଁର ୧୧୧୧୪୪ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ ।
ସେହିପରି ବାଲେଶ୍ୱର ଜିଲ୍ଲାର ୩ଟି ବ୍ଲକ ଅଧୀନରେ ଥିବା ୪୧ଟି ଗ୍ରାମପଂଚାୟତ ଅନ୍ତର୍ଗତ ୩୦୧ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୨୬୨୦୯୩ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ । ତନ୍ମଧ୍ୟରୁ ବାଲେଶ୍ୱର ବ୍ଲକ ଅଧୀନରେ ଥିବା ୧୪ଟି ଗ୍ରାମପଂଚାୟତ ଅନ୍ତର୍ଗତ ୮୧ଟି ଗ୍ରାମର ପ୍ରାୟ ୧୦୧୩୨୧ଜଣ, ରେମୁଣା ବ୍ଲକ ଅଧୀନରେ ଥିବା ୨୦ଟି ଗ୍ରାମପଂଚାୟତ ଅନ୍ତର୍ଗତ ୧୬୦ଟି ଗ୍ରାମର ପ୍ରାୟ ୧୨୧୨୧୦ ଜଣ ଓ ଖଇରା ବ୍ଲକ ଅଧୀନରେ ଥିବା ୭ ଗୋଟି ଗ୍ରାମପଂଚାୟତ ଅନ୍ତର୍ଗତ ୬୦ଟି ଗ୍ରାମର ୩୯,୫୬୨ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ୱାରା ଉପକୃତ ହେବେ ।