ଭୁବନେଶ୍ୱର,(ଓପିଏ): ସିସୋର ଚିଟ୍ ଫଣ୍ଡ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିବା କଟକ-ଚୌଦାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ୫ ଦିନିଆ ରିମାଣ୍ଡରେ ନେଇଛି। ଗିରଫ କରାଯିବା ପରେ ସିବିଆଇ ପକ୍ଷରୁ ପ୍ରଭାତଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯାଇ ଥିଲା। ଏହା ପରେ ସିବିଆଇ ପକ୍ଷରୁ ୫ ଦିନ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା। ପ୍ରଭାତଙ୍କ ନାମରେ ଭାରତୀୟ ଦଣ୍ଡ ସଂହିତା ଧାରା ୧୨୦ବି, ୪୨୦, ୪୬୭, ୪୦୯, ୪୭୧ ଓ ୪୫୬ ରହିଛି।
ସିସୋର ସହ ଜମି କିଣାବିକା ମାମଲାରେ ପଚରାଉଚରା ଲାଗି ଗତକାଲି ପ୍ରଭାତଙ୍କୁ ନୋଟିସ ହୋଇଥିଲା। ଭୁବନେଶ୍ୱରସ୍ଥିତ କାର୍ୟ୍ୟାଳୟରେ ହାଜର ହେବା ପରେ ପ୍ରଭାତଙ୍କୁ ସିବିଆଇ ପଚରା ଉଚରା କରିଥିଲେ। ପରେ ତାଙ୍କୁ ସେହିଠାରେ ହିଁ ଗିରଫ କରାଯାଇଥିଲା। ପ୍ରଭାତ ବିଶ୍ୱାଳଙ୍କୁ ଏହା ପୂର୍ବରୁ ସିସୋର ଲିଙ୍କ୍ ମାମଲାରେ ୪ ଥର ଜେରା କରିଥିଲା ସିବିଆଇ। ଏହି ମାମଲାରେ ପ୍ରଭାତ ବିଶ୍ୱାଳ ପତ୍ନୀ ଲକ୍ଷ୍ମୀ ବିଳାସିନୀଙ୍କୁ ମଧ୍ୟ ଜେରାରେ ସମ୍ମୁଖୀନ ହୋଇଥିଲେ। ସିସୋର ସହ ଜମି କାରବାର ମାମଲାରେ ତାଙ୍କର ଲିଙ୍କ୍ ରହିଥିବା ନେଇ ପ୍ରଭାତଙ୍କ ନାଁରେ ଅଭିଯୋଗ ରହିଥିଲା।
ଯାଜପୁର ଜିଲ୍ଲା ବେଣାପୁର ମୌଜାରେ ପ୍ରଭାତଙ୍କ ପତ୍ନୀ ଲକ୍ଷ୍ମୀ ବିଳାସୀନିଙ୍କ ନାଁରେ ଥିବା ୩୨ ଗୁଣ୍ଠ ଜମି ବିକ୍ରି ପାଇଁ ୨୦୧୧ରେ ସିସୋର ସହ ଡିଲ ହୋଇଥିଲା। ଏଗ୍ରିମେଣ୍ଟ ଅନୁସାରେ ଲକ୍ଷ୍ମୀ ବିଳାସିନୀ ୨୯ ଲକ୍ଷ ୨୫ ହଜାର ଟଙ୍କାରେ ଜମି ବିକିବାକୁ ରାଜି ହୋଇଥିଲେ। ଏ ବାବଦକୁ ୨୦୧୨ ଏପ୍ରିଲରେ ଲକ୍ଷ୍ମୀ ବିଳାସିନୀଙ୍କୁ ୨୫ ଲକ୍ଷ ଟଙ୍କାର ଚେକ ଦେଇଥିଲେ ସିସୋର କମ୍ପାନୀର ମୁଖ୍ୟ ପ୍ରଶାନ୍ତ ଦାସ। ବାକି ଟଙ୍କା ଜମି ରେଜିଷ୍ଟ୍ରେସନ ବେଳେ ଦେବାକୁ ସ୍ଥିର ହୋଇଥିଲା। ପରେ କିନ୍ତୁ ଜମି ଡିଲରୁ ଓହରି ଯାଇଥିଲେ ପ୍ରଶାନ୍ତ ଦାସ। ଏଥିପାଇଁ ୨୫ ଲକ୍ଷ ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ ପ୍ରଶାନ୍ତ। ପ୍ରଶାନ୍ତଙ୍କୁ ଟଙ୍କା ଫେରାଇ ଦିଆଯାଇଥିବା ନେଇ ଗଣମାଧ୍ୟମକୁ କହିଥିଲେ ଲକ୍ଷ୍ମୀ ବିଳାସିନୀ। ତେବେ ଏନେଇ ପ୍ରମାଣ ଦେଖାଇପାରି ନଥିଲେ।
ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର ହେବା ପରେ ପ୍ରଭାତ ବିଶ୍ୱାଳ କହିଥିଲେ, ସତ୍ୟର ଜୟ ହେବ। ତାଙ୍କୁ ଗିରଫ କରାଯିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ପ୍ରଭାତ କହିଛନ୍ତି।
Next Post