ମଦର୍ସ ଡେ’ରେ ଇଡଲୀ ଆମ୍ମାଙ୍କୁ ଆନନ୍ଦ ମହିନ୍ଦ୍ରାଙ୍କ ଖାସ ଉପହାର

ଏମିତିରେ ତ ମାଙ୍କର କୌଣସି ଦିନ ନଥାଏ, ହେଲେବି ଆମେ ସମସ୍ତେ ମାଙ୍କ ଲାଗି ଦିନଟିଏ ସ୍ଥିର କରିଛେ। ଯାହାକୁ ମଦର୍ସ ଡେ ବୋଲି ଆମେ କହୁଛେ। ଏହି ଦିନ ପିଲାମାନେ କିଛି ନା କିଛି କରି ମାଙ୍କୁ ସ୍ୱତନ୍ତ୍ର ଦିନର ଅନୁଭବ ଦେଇଥାନ୍ତି। ଏହି କ୍ରମରେ ବିଶିଷ୍ଟ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ଇଡଲୀ ଆମ୍ମାଙ୍କୁ ଏକ ଖାସ ଉପହାର ଦେଇଛନ୍ତି।

ଟ୍ୱିଟର ମାଧ୍ୟମରେ ଇଡଲୀ ଆମ୍ମାଙ୍କ ସହ ମହିନ୍ଦ୍ରାଙ୍କ ଏକ ସୁନ୍ଦର ସମ୍ପର୍କ ସ୍ଥାପିତ ହୋଇଛି। ଏହି ସମ୍ପର୍କକୁ ଧ୍ୟାନରେ ରଖି ମହିନ୍ଦ୍ରା ଆମ୍ମାଙ୍କୁ ଉପହାରରେ ଏକ ଘର ଦେଇଛନ୍ତି।

ଏ ନେଇ ମହିନ୍ଦ୍ରା ତାଙ୍କ ଆକାଉଣ୍ଟରେ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଘରର ନିର୍ମାଣ କାମ ଶେଷ କରିବା ସହ ଆମ୍ମାଙ୍କୁ ଗିଫ୍ଟ କରିପାରିଥିବାରୁ ଟିମ୍‌କୁ ବଧେଇର ପାତ୍ର ବୋଲି ମହିନ୍ଦ୍ରା କହିଛନ୍ତି। ଇଡଲୀ ଆମ୍ମାଙ୍କୁ ତାଙ୍କ ନିସ୍ୱାର୍ଥପରତା ଗୁଣ, ପୋଷଣ ଓ ଲାଳନ ପାଳନରେ ଜଣେ ମାଙ୍କଠାରୁ କମ ନୁହନ୍ତି ବୋଲି ମହିନ୍ଦ୍ରା ଉଲ୍ଲେଖ କରିଛନ୍ତି।

ଜାଣନ୍ତୁ ଇଡଲୀ ଆମ୍ମା କିଏ?
ତାମିଲନାଡୁରେ ୮୦ ଦଶକରୁ ଜଣେ ମହିଳା ଚୁପଚାପ ଏକ ଭଲ କାମ କରି ଚାଲିଛନ୍ତି। କମଲାଥଲ ନାମ୍ନୀ ଏହି ମହିଳା ଶ୍ରମିକମାନଙ୍କୁ ମାତ୍ର ଟଙ୍କାକରେ ଇଡଲୀ ଯୋଗାଇ ଦେଉଛନ୍ତି। ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ୨୦୧୯ ମସିହାରେ ତାଙ୍କର ଏକ ଭିଡିଓ ସେୟାର କରିଥିଲେ। ଏଥିରେ ଆମ୍ମାଙ୍କୁ କାଠର ବର୍ଣ୍ଣରରେ ରୋଷେଇ କରୁଥିବାର ଭିଡିଓ ଥିଲା। ଏହି ଟ୍ୱିଟ୍‌ ଟି ସେତେବେଳେ ତାଙ୍କୁ ଗ୍ୟାସ କନେକ୍ସନ କରେଇ ଦେବାରେ ବଡ ସହାୟକ ହୋଇଥିଲା।

ଏକ ଝୁପଡି ଘରେ କମଲାଥଲ ତାଙ୍କର ଇଡଲି ଦୋକାନ ଚଳାନ୍ତି ଓ ଆନନ୍ଦ ମହିନ୍ଦ୍ରାଙ୍କ ଟିମ୍‌ ଭେଟିବା ବେଳେ ଯଦି ଘରଟିଏ ହୋଇ ପାରନ୍ତା ଭଲ ହୁଅନ୍ତା ବୋଲି କହିଥିଲେ। ଏଥିରେ ମହିନ୍ଦ୍ରାଙ୍କ ଟିମ୍ ୨୦୨୧ ମସିହାରେ ଥୋଣ୍ଡା ମୁଥୁରରେ ଜମି ରେଜିଷ୍ଟ୍ରି କରି ଗୃହ ନିର୍ମାଣ ଆରମ୍ଭ କରିଥିବା ବେଳେ ରବିବାର ମଦର୍ସ ଡେରେ ଆମ୍ମାଙ୍କୁ ଘରର ଚାବି ହସ୍ତାନ୍ତର କରିଛନ୍ତି।