କୋରୋନା ମୁକାବିଲା ପାଇଁ ଲକଡାଉନ୍ ନୁହେଁ ଯଥେଷ୍ଟ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ନୂଆଦିଲ୍ଲୀ: କୋରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶ ଲକ୍‌ଡାଉନ୍ କରୁଛନ୍ତି। ତେବେ ଲକ୍‌ଡାଉନ୍ ହେଲେ କୋରୋନା ସଂକ୍ରମଣ କମିବ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ମାଇକ୍ ରିୟାନ ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସିର ଆଣ୍ଡ୍ର୍ୟୁ ମାର ଶୋ’ରେ ଯୋଗଦେଇ ଏହା କହିଛନ୍ତି।

ସେ କହିଛନ୍ତି, “ଲକ୍‌ଡାଉନ୍‌ରେ ମଧ୍ୟ ବିପଦ ରହିଛି। ପ୍ରାଥମିକ ଭାବରେ ଲକ୍‌ଡାଉନ୍‌ କରି ସାମାଜିକ ଦୂରତ୍ୱ ସୃଷ୍ଚି କରାଯାଇପାରିଲା। ହେଲେ ଏବେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ଦରକାର। ଏହାପରେ ସେହି ଆକ୍ରାନ୍ତ ଜଣଙ୍କ କେଉଁ ମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ଖୋଜିବା ଦରକାର। ଏପରି କରି ସମସ୍ତଙ୍କୁ ଆଇସୋଲେସେନରେ ରଖିପାରିଲେ କରୋନାର ମୁକାବିଲା ସଠିକ୍ ଢଙ୍ଗରେ ହୋଇପାରିବ। ନହେଲେ ଏହି କିଲର ଭାଇରସ ପୁଣିଥରେ ଫେରିବାର ସମ୍ଭାବନା ରହିଛି।”

ଚୀନର ହୁବେଇ ରାଜ୍ୟର ଉହାନ ସହରରୁ ଏହି କିଲର କରୋନା ବ୍ୟାପିଛି ବୋଲି କୁହାଯାଉଛି। ଚୀନରେ ସ୍ଥିତି ବେକାବୁ ହେବା ପରେ ଅନେକ ସହରକୁ ଲକ୍‌ଡାଉନ୍‌ କରାଯାଇଥିଲା। ଏହାପରେ ଅନେକ ଦେଶକୁ ଏହି ଭାଇରସ୍‌ ବ୍ୟାପିଛି। ଚୀନ ଭଳି ବ୍ରିଟେନ, ଭାରତ ଓ ଆମେରିକା ଆଦି ଦେଶ ମଧ୍ୟ କରୋନାର ମୁକାବିଲା କରିବାକୁ ଯାଇ ଅନେକ ସ୍ଥାନରେ ଲକ୍‌ଡାଉନ ଘୋଷଣା କରିଛନ୍ତି।

ରବିବାର କୋରୋନା ମୁକାବିଲା କରିବାକୁ ଯାଇ ସାରା ଭାରତରେ ‘ଜନତା କର୍ଫ୍ୟୁ’ ଘୋଷଣା ହୋଇଥିଲା। ଏବେ ଅନେକ ରାଜ୍ୟ ମାର୍ଚ୍ଚ ୩୧ ଯାଏ ଅନେକ ଅଞ୍ଚଳରେ ଲକ୍‌ଡାଉନ୍ ଘୋଷଣା କରିଛନ୍ତି।