ଲକ ଡାଉନକୁ ଗମ୍ଭୀରତା ସହ ନେବାକୁ ମୋଦିଙ୍କ ଅନୁରୋଧ

ନୂଆଦିଲ୍ଲୀ: କୋରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀଙ୍କ ଘନ ଘନ ଟ୍ୱିଟ। ସତର୍କ ଓ ସୁରକ୍ଷିତ ରହିବାକୁ ପରାମର୍ଶ ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ପୁଣି ଥରେ ଦେଶବାସୀଙ୍କୁ ଆହ୍ୱାନ କରି ପିଏମ କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ଲଗାଯାଇଥିବା ଲକ ଡାଉନ ସଫଳ ଭାବେ ପାଳନ କରନ୍ତୁ ଏବଂ ମହାମାରୀ ମାରାତ୍ମକ କୋରୋନା କବଳରୁ ନିଜକୁ ଦୂରେଇ ରଖନ୍ତୁ ।

ମୋଦି ଏହା ବି କହିଛନ୍ତି, ଯେ ଲକ ଡାଉନକୁ କେତେକ ଗୁରୁତର ସହ ଗ୍ରହଣ କରୁନାହାଁନ୍ତି । ତେଣୁ ନିଜ ପିଲାଛୁଆ, ପରିବାରକୁ ବଂଚାନ୍ତୁ ଏବଂ ଏହି ଲକ ଡାଉନକୁ ପାଳନ କରନ୍ତୁ । ତେବେ ଗତକାଲି ଦେଶବ୍ୟାପୀ ଅଦ୍ଭୁଦପୂର୍ବ ରୂପେ ଜନତା କର୍ଫ୍ୟୁକୁ ସମର୍ଥନ ମିଳିଛି । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସବୁଠି ସମ୍ବର୍ଦ୍ଧନା ଦିଆଯାଇଛି । ମହାରାଷ୍ଟ୍ର, ଦିଲ୍ଲୀ ଭଳି ଜନ ସମୁଦ୍ର ସ୍ଥାନରେ ୧୪ ଘଂଟା ରେ ପାଲଟିଥିଲା ନୀରବତାର ମରୁଭୂମି । ସେହିପରି ଓଡ଼ିଶା, ଭଳି କେତେକ ରାଜ୍ୟରେ ମଧ୍ୟ ଜନତା କର୍ଫ୍ୟୁ ପାଳନ ସହ ଲକ ଡାଉନର ଜୋରଦାର ପ୍ରଭାବ ପଡିଥିଲା । କେବଳ କାଁ ଭାଁ କେତେ ଲୋକେ ପଦାକୁ ବାହାରିଥିବାର ଦେଖିବାକୁ ମିଳିଥିଲା । ଏହା ସହ ମୋଦିଙ୍କ ଆହ୍ୱାନ କ୍ରମେ ଏଭଳି ସ୍ଥିତିରେ ଅହରହ କାର୍ଯ୍ୟରତ ଥିବା ଡାକ୍ତର, ଅଗ୍ନିଶମ, ପୋଲିସ, ଗଣମାଧ୍ୟମଙ୍କୁ ଉତ୍ସାହିତ କରିବା ପାଇଁ ୫ ମିନିଟ ପାଇଁ କରତାଳି କିମ୍ବା ଥାଳି ବଜାୟୀ ସେମାନଙ୍କୁ ସମର୍ଥନ କରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ଭାରତରେ ଧିରେ ଧିରେ ବଢୁଥିବା କୋରୋନା ଚେନ୍‌କୁ ରୋକିବା ଲାଗି ୨୨ ରାଜ୍ୟର ୭୫ ଜିଲ୍ଲାକୁ ଲକ୍‌ଡାଉନ୍ କରାଯାଇଛି । ଏହି ଲକଡାଉନ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି । ଏହାସହ ଦରକାର ପଡିଲେ ଅନ୍ୟ ଜିଲ୍ଲାକୁ ମଧ୍ୟ ଲକ୍‌ଡାଉନ୍ କରାଯାଇପାରେ ବୋଲି କୁହାଯାଇଛି । ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁକଶ୍ମୀର, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା, ଉତରପ୍ରଦେଶ, ଉତରାଖଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଗୋଆ, ଝାଡଖଣ୍ଡ, ଆସାମ, ବିହାର, ମହାରାଷ୍ଟ୍ର, ପଞ୍ଜାବ ଓ ଓଡିଶାରେ ଲକ ଡାଉନ କରାଯାଇଛି ।