ରାଜ୍ୟରେ ୪୧ଟି ହସ୍ପିଟାଲରେ ୨୦ରୁ ଆରମ୍ଭ ହେବ ଟେଲି ମେଡିସିନ୍ ସେବା

ଜିଲ୍ଲା ହସ୍ପିଟାଲରେ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓ ମେଡିକାଲ କଲେଜରେ ୨୪ ଘଂଟିଆ ମିଳିବ ଟେଲି ମେଡ଼ିସିନ ସେବା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର: ରାଜ୍ୟରେ କୋଭିଡ କଟକଣା ପରିସ୍ଥିତି ଦୃଷ୍ଟିରୁ ସାଧାରଣ ରୋଗୀଟିଏ ଡାକ୍ତରଖାନା ଯିବା ସମ୍ଭବ ହୋଇପାରୁନାହିଁ । ଏହାର ପ୍ରତିକାର ସ୍ୱରୂପ ସରକାର ଆରମ୍ଭ କରିବାକୁ ଯାଇଛନ୍ତି ଟେଲି ମେଡିସିନ୍ ସେବା । ଏହାଦ୍ୱାରା ରୋଗୀ ଫୋନ୍ ମାଧ୍ୟମରେ ଡାକ୍ତରଙ୍କ ସହ ସିଧା ସଳଖ ଯୋଗାଯୋଗ କରି ପାରିବେ ଓ ରୋଗର ଉପଚାର ମଧ୍ୟ ପାଇପାରିବେ । ଏ ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଅଧ୍ୟକ୍ଷତାରେ ଓ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସେବା ପ୍ରଥମେ ରାଜ୍ୟର ୩୦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ୭ଟି ସରକାରୀ ମେଡିକାଲ କଲେଜ, ରାଉଲକେଲାର ଆରଜିଏଚ୍‌, ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ, କଟକସ୍ଥିତ ଆଚାର୍ଯ୍ୟ ହରିହର ଉପାଧ୍ୟୁତର କ୍ୟାନସର ପ୍ରତିଷ୍ଠାନ ଓ ଶିଶୁଭବନ, ଏହିପରି ମୋଟ ୪୧ଟି ସ୍ଥାନରେ ଆରମ୍ଭ ହେବ । ଜିଲ୍ଲା ହସ୍ପିଟାଲ ଗୁଡିକରେ ଏହି ସେବା ଓପିଡି ସମୟ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଓ ମେହିକାଲ କଲେଜରେ ୨୪ ଘଂଟିଆ ସେବା ଉପଲବ୍ଧ ହେବ ।

ଏହି ଟେଲି ମେଡିସିନ୍ ସେବା ଆସନ୍ତା ଜୁଲାଇ ୨୦ ରୁ ଆରମ୍ଭ ହେବାକୁ ଥିବାବେଳେ ଏଥିପାଇଁ ଓକାକ୍ ତରଫରୁ ପ୍ରତି କେନ୍ଦ୍ରକୁ ୨ଟି ଲେଖାଏଁ ମୋବାଇଲ ସେଟ୍ ମୋଟ ୮୨ଟି ସେଟ୍ ଓ ଏହା ସହିତ ସିମକାର୍ଡ ଯୋଗାଇ ଦିଆଯିବ । ଏହି ଫୋନ୍ ନମ୍ବର ଗୁଡିକ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସାର୍ବଜନୀନ କରାଯିବ । ଫଳରେ ଜନସାଧାରଣ ଏହି ସେବାର ସୁଫଳ ପାଇପାରିବେ । ଏହି ଅବସରରେ ବିଭାଗୀୟ ସ୍ୱତନ୍ତ୍ର ସଚିବ ତଥା ଡିଏମ୍‌ଇଟି ପ୍ର ଡା ସି ବି କେ ମହାନ୍ତି, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା ବିଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।