ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କର ଦେହାନ୍ତ

ନୂଆଦିଲ୍ଲୀ: ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କର ଦେହାନ୍ତ ହୋଇଛି। ଯକୃତ ରୋଗରେ ପୀଡିତ ଥିଲେ ଅଗ୍ନିବେଶ। ମଙ୍ଗଳବାର ପାଖରୁ ସେ ଭେଣ୍ଟିଲେଟରରେ ଥିଲେ। ମୃତ୍ୟୁ ପୂର୍ବରୁ ତାଙ୍କ ଶରୀରର ଅନେକ ପ୍ରମୁଖ ଅଙ୍ଗ ଅକାମୀ ହୋଇଯାଇଥିଲା। ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଏବଂ ବିଲିୟାରି ସାଇନ୍ସରେ ସେ ଚିକିତ୍ସାଧୀନ ଥିଲେ।

ସ୍ୱାମୀ ଅଗ୍ନିବେଶଙ୍କ ମୃତ୍ୟୁ ବାବଦରେ ଆଇଏଲବିଏସ୍ ସୂଚନା ଦେଇଛି। ଶୁକ୍ରବାର ସନ୍ଧ୍ୟା ୬ଟା ସମୟରେ ସ୍ୱାମୀ ଅଗ୍ନିବେଶଙ୍କର ହୃଦ୍‌ଘାତ ହୋଇଥିଲା। ଏହାପରେ ସନ୍ଧ୍ୟା ୬.୩୦ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ସ୍ୱାମୀ ଅଗ୍ନିବେଶ ସାମାଜିକ ପ୍ରସଙ୍ଗରେ ଖୋଲାଖୋଲି ନିଜର ମତ ରଖିବାକୁ ନେଇ ପରିଚିତ ଥିଲେ। ଅଗ୍ନିବେଶ ୧୯୭୦ରେ ଆର୍ଯ୍ୟ ସଭା ନାମକ ଏକ ରାଜନୀତି ଦଳ ଗଠନ କରିଥିଲେ। ୧୯୭୭ ମସିହାରେ ସେ ହରିଆଣା ବିଧାନସଭାରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ହରିଆଣା ସରକାରରେ ଶିକ୍ଷା ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୮୧ ମସିହାରେ ସେ ବାନ୍ଧୁଆ ମୁକ୍ତି ମୋର୍ଚ୍ଚା ନାମକ ଏକ ସଂଗଠନ ପ୍ରତିଷ୍ଠା କରିଥିଲେ।

ଏଥି ସହିତ ସ୍ୱାମୀ ଅଗ୍ନିବେଶ ୨୦୧୧ରେ ଆନ୍ନା ହାଜାରେଙ୍କ ନେତୃତ୍ୱରେ ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ମଧ୍ୟ ଭାଗ ନେଇଥିଲେ। ଏମିତିକି ଅଗ୍ନିବେଶ ମଧ୍ୟ ରିଆଲିଟି ସୋ ବିଗ୍ ବସ୍ ରେ ଭାଗ ନେଇଥିଲେ। ସେ ବିଗ୍ ବସ୍ ଘରେ ୮ ରୁ ୧୧ ନଭେମ୍ବର ପର୍ଯ୍ୟନ୍ତ ତିନି ଦିନ ରହିଥିଲେ।