ନିର୍ଭୟା ମାମଲା: ନିର୍ଦ୍ଧାରିତ ସମୟ ଦିନ ଫାଶୀ ପାଇବେନି ୪ ଦୋଷୀ!

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ଦୋଷୀଙ୍କ ଫାଶୀରେ ହୋଇପାରେ ବିଳମ୍ବ । ନିମ୍ନ ଅଦାଲତ ପକ୍ଷରୁ ଜାରି ଡେଥ ୱାରେଂଟ ଉପରେ ସ୍ଥଗିତାଦେଶ ପାଇଁ ଦୋଷୀ ମୁକେଶ କୁମାର ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲା । ଏହି ଆବେଦନ ଉପରେ ବୁଧବାର ଶୁଣାଣି ହୋଇଛି । ତେବେ ଏହି ସମୟରେ ଦୋଷୀଙ୍କୁ ଜାନୁଆରୀ ୨୨ରେ ଫାଶୀ ଖୁଂଟରେ ଝୁଲାଯାଇପାରିବ ନାହିଁ ବୋଲି ଦିଲ୍ଲୀ ସରକାରଙ୍କ ଓକିଲ ରାହୁଲ ମେହରା କୋର୍ଟରେ ଦଲିଲ ରଖିଛନ୍ତି । ରାଜକ୍ଷମା ଆବେଦନ ଖାରଜ ହେବାର ୧୪ ଦିନ ପରେ ହିଁ ଫାଶୀ ଦଣ୍ଡ ଦିଆଯାଇପାରିବ ବୋଲି ସେ ନିଜ ପକ୍ଷ ରଖିଛନ୍ତି ।

ଦିଲ୍ଲୀ ହାଇକୋର୍ଟଙ୍କୁ ଦିଲ୍ଲୀ ସରକାରଙ୍କ ଓକିଲ କହିଛନ୍ତି, ଦୋଷୀ ରାଜକ୍ଷମା ଆବେଦନ କରିଥିବାରୁ ଏହା ଉପରେ ନିଷ୍ପତି ନ ଆସିବା ପର୍ଯ୍ୟନ୍ତ ଫାଶୀ ଦିଆଯାଇପାରିବ ନାହିଁ ଜ୍ଝ ଏହି ଆବେଦନ ଦୀର୍ଘଦିନ ଧରି ଲମ୍ବିତ ହେଲେ ଫାସି ଦିଆଯାଇପାରିବ ନାହିଁ । ଯଦି ଏହି ରାଜକ୍ଷମା ଆବେଦନ ଖାରଜ ହୁଏ ତାହାଲେ ମଧ୍ୟ ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ନୂଆ ଡେଥ ୱାରେଂଟ ପାଇଁ ଦୋଷୀଙ୍କୁ ୧୪ ଦିନର ସମୟ ଦେବାକୁ ପଡିଥାଏ ।

ସୂଚନାଯୋଗ୍ୟ ଯେ, ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଫାଶୀଦଣ୍ଡ ପାଇଥିବା ୪ ଦୋଷୀଙ୍କୁ ମଧ୍ୟରୁ ୨ ଜଣ ଦୋଷୀ ବିନୟ କୁମାର ଶର୍ମା ଏବଂ ମୁକେଶ ସିଂହର କ୍ୟୁରେଟିଭ୍ ପିଟିସନ୍‌କୁ ମଙ୍ଗଳବାର ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ । ଏହି କ୍ୟୁରେଟିଭ୍ ପିଟିସନ୍ ସୁପ୍ରିମକୋର୍ଟରେ ଖାରଜ ହେବାପରେ ଦୋ‌ଷୀ ମୁକେଶ ସିଂହ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି।