୫୦ ପ୍ରତିଶତ କମିଲା ଆଇପିଏଲର ପୁରସ୍କାର ରାଶି

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟରେ ଅନ୍ୟତମ ବିତ୍ତଶାଳୀ କ୍ରିକେଟ ଲିଗ ଭାବେ ଇଣ୍ଡିଆନ ପ୍ରିମିୟର ଲିଗ ପରିଚିତ । ଆଇପିଏଲ ନିଲାମ ପ୍ରକିୟାରେ କିଣା ହେବାପରେ, ଅନେକ ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରଙ୍କ କ୍ୟାରିୟର ଓ ବ୍ୟାଙ୍କ୍ ବାଲାନ୍ସ ରାତାରାତି ବଦଳିଯାଇଛି ।

ତେବେ ବର୍ତ୍ତମାନର କଠିନ ପରିସ୍ଥିତିରେ ବିଶ୍ୱ ବଜାର ପ୍ରଭାବିତ ହୋଇଥିବା ଯୋଗୁଁ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଖର୍ଚ୍ଚ କାଟ ନେଇ ବିଚାର କରିଛି ।

୨୦୨୦ରେ ପୁରସ୍କାର ରାଶି କେତେ ହେବ ?

ଲିଗର ପୁରସ୍କାର ରାଶି ୨୦୧୯ ସଂସ୍କରଣ ଟୁର୍ଣ୍ଣାମେଣ୍ଟ ତୁଳନାରେ ଚଳିତ ଥର ପ୍ରାୟ ୫୦ ପ୍ରତିଶତ କମ କରାଯାଇଛି । ଏନେଇ ଆଇପିଏଲ ଫ୍ରାଞ୍ଚାଇଜମାନଙ୍କୁ ଏକ ସର୍କୁଲାର ଜାରି କରିଛି ବିସିସିଆଇ । ଏଥିରେ ଚମ୍ପିଆନ ଟିମକୁ ୨୦ କୋଟି ପରିବର୍ତ୍ତେ ୧୦ କୋଟି ମିଳିବ ବୋଲି ଦର୍ଶାଯାଇଛି । ସେହିପରି ରନର୍ସ-ଅପ ଟିମ ୧୨.୫ କୋଟି ପରିବର୍ତ୍ତେ ୬.୨୫ ପାଇବେ । ଏଥିସହିତ ଦୁଇଟି ପରାସ୍ତ କ୍ୱାଲିଫାୟାର୍ସ (୩ୟ ଓ ୪ୟ ସ୍ଥାନ) ଟିମ ୪.୩୭୫ ଲେଖାଏଁ ପାଇବେ ।