ହକି କିମ୍ବଦନ୍ତୀ ବଲବୀର ସିଂ ସିନିୟରଙ୍କ ଦେହାନ୍ତ

ପଞ୍ଜାବ: ହକି କିମ୍ବଦନ୍ତୀ ତଥା ତିନି ଥର ଅଲମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ବଲବୀର ସିଂ ସିନିୟରଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ଆଜି ସକାଳ ୬ଟା ୧୭ ମିନିଟରେ ସେ ପ୍ରାଣ ତ୍ୟାଗ କରିଥିବା ଜଣାପଡିଛି ।

ବାର୍ଦ୍ଧକ୍ୟଜନିତ ବିଭିନ୍ନ ରୋଗରେ ବଲବୀର ଅସୁସ୍ଥ ଥିବାରୁ ତାଙ୍କୁ ଗତ ମେ ୮ ତାରିଖରେ ମୋହାଲୀର ଫୋର୍ଟିସ୍ ହସ୍ପିଟାଲରେ ଭର୍ତି କରାଯାଇଥିଲା। ବଲବୀର ସିଂହ ସିନିୟର ଲଣ୍ଡନ ଅଲମ୍ପିକ୍ ୧୯୪୮, ହେଲସିଙ୍କି ଅଲମ୍ପିକ୍ ୧୯୫୨ ଏବଂ ମେଲବର୍ଣ୍ଣ ଅଲମ୍ପିକ୍ ୧୯୫୬ରେ ଗୋଲ୍ଡ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ । ୧୯୫୬ ଅଲମ୍ପିକରେ ସେ ଭାରତୀୟ ହକି ଟିମର ଅଧିନାୟକ ମଧ୍ୟ ଥିଲେ। ଏତଦ୍ ବ୍ୟତୀତ ସେ ବିଶ୍ଵକପ୍ ୧୯୭୫ରେ ସ୍ଵର୍ଣ୍ଣ ପଦକ ଜିତିଥିବା ଭାରତୀୟ ହକି ଟିମର ମୁଖ୍ୟ କୋଚ୍ ଥିଲେ।

ହକି କିମ୍ୱଦନ୍ତୀ ବଲବୀର ସିଂ ସିନିୟରଙ୍କ ବିୟୋଗରେ ହକି ଜଗତ ସମେତ ସମଗ୍ର କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି ।