ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମାଙ୍କର ବିଭିନ୍ନ ଶିଳ୍ପାନୁଷ୍ଠାନମାନଙ୍କ ସହ ଡ଼ିଜିଟାଲ୍ ମୋଡ଼ରେ ଆଲୋଚନା

ଶିଳ୍ପ ପ୍ରତିଷ୍ଠାନ ମାନଙ୍କରେ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା ପ୍ରକ୍ରିୟା ତ୍ଵରାନ୍ୱିତ

ଭୁବନେଶ୍ୱର:  ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ ତ୍ରିପାଠୀ କହିଥିଲେ ଯେ କୋଭିଡ଼୍ ପ୍ରତିରୋଧ ଓ ଚିକିତ୍ସା ନିମନ୍ତେ ସରକାରଙ୍କ ଦ୍ୱାରା ବ୍ୟାପକ ‘ତ୍ରି-ସ୍ତରୀୟ’ ବ୍ୟବସ୍ଥା ସୃଷ୍ଟି କରାଯାଇଛି ।

ଏଗୁଡିକ ହେଲା କୋଭିଡ଼୍ କେୟାର ସେଣ୍ଟର, କୋଭିଡ଼୍ ହେଲଥ୍ ସେଣ୍ଟର ଏବଂ ସ୍ୱତନ୍ତ୍ର କୋଭିଡ଼୍ ହସ୍ପିଟାଲ୍ । ଲକ୍ଷଣ ବିହୀନ ବା ସାମାନ୍ୟ ଲକ୍ଷଣ ଯୁକ୍ତ ବ୍ୟକ୍ତିଙ୍କର ଯତ୍ନ କୋଭିଡ଼୍ କେୟାର ସେଣ୍ଟରେ ନିଆଯାଏ ।  ଲକ୍ଷଣହୀନ ବ୍ୟକ୍ତିଙ୍କୁ ସେମାନଙ୍କ ଘର ଏବଂ ସାମାଜିକ ପରିବେଶରୁ ଅଲଗା କରିବା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ  ଖରାପ ପ୍ରଭାବ ପକାଇପାରେ । ଏହାକୁ ବିଚାରକୁ ନେଇ  ସରକାର ‘ହୋମ୍ କେୟାର’ ଏବଂ ନିଜ ପରିବେଶରେ  ଆନୁଷ୍ଠାନିକ କେୟାର ପାଇଁ ଅନୁମତି ଦେବା ନିମନ୍ତେ  ନିଷ୍ପତ୍ତି ନେଇଛନ୍ତି ।

ଏହି ଦୃଷ୍ଟିରୁ ଶିଳ୍ପାନୁଷ୍ଠାନମାନେ ନିଜ ନିଜ ସୁବିଧାରେ ନିଜର କର୍ମଚାରୀମାନଙ୍କ ପାଇଁ କୋଭିଡ଼୍ କେୟାର ସେଣ୍ଟର ପ୍ରତିଷ୍ଠା କରିବା ଭଲହେବ ବୋଲି ଶ୍ରୀ ତ୍ରିପାଠୀ   ପରାମର୍ଶ ଦେଇଥିଲେ ।

ଶିଳ୍ପାନୁଷ୍ଠାନର ମୁଖ୍ୟମାନେ ସରକାରଙ୍କ ନିଷ୍ପତ୍ତି ବିଷୟରେ ଆନନ୍ଦ ପ୍ରକାଶ କରି  କୋଭିଡ଼୍ କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ  ନିଜ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ ।  ପ୍ରାୟ ୪୦ ଟି ଘରୋଇ  ଶିଳ୍ପ ପ୍ରତିଷ୍ଠାନ, କେନ୍ଦ୍ରୀୟ ଓ ରାଜ୍ୟ ସାଧାରଣ ଉଦ୍ୟୋଗର ଅଧ୍ୟକ୍ଷ ଓ ମୁଖ୍ୟ  କାଯ୍ୟ ନିର୍ବାହୀ  ଅଧିକାରୀମାନେ  ଏହି  ଆଲୋଚନା  ବୈଠକରେ  ଭାଗ ନେଇଥିଲେ । ଏକ ସପ୍ତାହ ମଧ୍ୟରେ ଏହି କେୟାର ସେଣ୍ଟର  ପ୍ରତିଷ୍ଠା କରିବା ପାଇଁ ଶିଳ୍ପ ବିଭାଗ  ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା  ସେମାନଙ୍କୁ କହିଥିଲେ ।

ଏଥି ପାଇଁ ସଂପୃକ୍ତ  ଜିଲ୍ଲାପାଳ ଏବଂ  ପୌର କମିାନରମାନେ ଆବଶ୍ୟକୀୟ  ଅନୁମତି ଦେବେ । ସରକାରଙ୍କ ତରଫରୁ ବୈଷୟିକ ଜ୍ଞାନ କୌଶଳ ଓ ତାଲିମ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ  ଶ୍ରୀ ତ୍ରିପାଠୀ ପ୍ରତିଶୃତି  ଦେଇଥିଲେ ।

ଶିଳ୍ପ ବିଭାଗ ଯୁଗ୍ମ ଶାସନ ସଚିବ ଶୁଭେନ୍ଦ୍ର ନାୟକ ରାଜ୍ୟ ନୋଡାଲ୍ ଅଧିକାରୀଭାବେ  କାର୍ଯ୍ୟ କରିବେ । ଇପିକଲ୍ ର ଏମ୍.ଡ଼ି ଶ୍ରୀ ସଚ୍ଚିନ୍ ରାମଚନ୍ଦ୍ର ୟାଦବ ବୈଠକର ସଂଯୋଜନା କରିଥିଲେ ।