ହୃଦଘାତରେ ପୂର୍ବତନ କ୍ରିକେଟ ଖେଳାଳିଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଡିନ ଜୋନ୍ସ ଗୁରୁବାର ହୃଦଘାତରେ ପ୍ରାଣ ହରାଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବୟସ ହୋଇଥିଲା । ଡିନ୍ ଜୋନ୍ସ ଆଇପିଏଲ୍ ପାଇଁ ଷ୍ଟାର୍ ସ୍ପୋର୍ଟସ ଭାଷ୍ୟକାର ଦଳର ଅଂଶ ଥିଲେ। ଏଥିପାଇଁ ସେ ମୁମ୍ବଇର ଏକ ୭ତାରକା ହୋଟେଲରେ ରହୁଥିଲେ। ଜୋନ୍ସ ସକାଳ ଜଳଖିଆ ଖାଇବା ପରେ ପ୍ରାଣ ହରାଇଥିଲେ । ସାଥୀ ଭାଷ୍ୟକାର ବ୍ରେଟ ଲି ଏବଂ ନିଖିଲ ଚୋପ୍ରାଙ୍କ ସହିତ ଜଳଖିଆ ପରେ ଜୋନ୍ସ ବେହୋସ ହୋଇଯାଇଥିଲେ । ଲି ତାଙ୍କୁ ସିପିଆର ଦେବାକୁ ଚେଷ୍ଟା କରିଥିଲେ ମାତ୍ର ଜୋନ୍ସଙ୍କ ପରଲୋକ ଘଟିଥିଲା । ଉଲ୍ଲେଖଯୋଗ୍ୟ ଯେ, ଜୋନ୍ସ ୫୨ଟି ଟେଷ୍ଟ ମ୍ୟାଚରୁ ୪୬.୫୫ ହାରରେ ୩୬୩୧ ରନ ସଂଗ୍ରହ କରିଛନ୍ତି । ଏହା ମଧ୍ୟରେ ୧୧ଟି ଶତକ ଏବଂ ୧୯୮୬ ମସିହାରେ ଭାରତ ବିରୋଧରେ ଦ୍ୱିଶତକ ସାମିଲ ରହିଥିଲା । ସେହିପରି ଦିନିକିଆରେ ୧୬୪ଟି ମ୍ୟାଚ ଖେଳିବା ସହିତ ୪୪.୬୧ ହାରରେ ୬୦୬୮ ରନ ସଂଗ୍ରହ କରିଥିଲେ ।

ଷ୍ଟାର ସ୍ପୋର୍ଟସ ତାଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛି ଯେ ଦକ୍ଷିଣ ଏସିଆରେ କ୍ରିକେଟ୍ ବିକାଶ ସହ ନିଜକୁ ଯୋଡିବା ପାଇଁ ଡିନ୍ ଜୋନ୍ସ ଖେଳର ଅନ୍ୟତମ ମହାନ ରାଷ୍ଟ୍ରଦୂତ ଥିଲେ । ନୂତନ ପ୍ରତିଭା ଆବିଷ୍କାର କରିବା ଏବଂ ଯୁବ କ୍ରିକେଟର ବିକାଶ ପାଇଁ ତାଙ୍କର ବହୁତ ଆଗ୍ରହ ଥିଲା । ସେ ଜଣେ ଚାମ୍ପିୟନ ସମୀକ୍ଷକ ଥିଲେ, ଯାହାର ଉପସ୍ଥିତି ଏବଂ ଖେଳର ଉପସ୍ଥାପନା ସର୍ବଦା ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପାଇଁ ଆନନ୍ଦ ଆଣିଥାଏ। “