ଡିଏଲ୍ ଓ ଏଲଏଲ୍ ପାଇଁ ସ୍ଲଟ ବୁକିଂ ବାତିଲ

ଭୁବନେଶ୍ୱର: ଆଜିଠାରୁ ଡ୍ରାଇଭିଂ ଲାଇସେନ୍ସ ( ଡିଏଲ୍) ଓ ଲର୍ଣ୍ଣିଂ ଲାଇସେନ୍ସ (ଏଲଏଲ) ପାଇଁ ସ୍ଲଟ ବୁକିଂ ହେଵ ବୋଲି ଗତକାଲି ପରିବହନ କମିସନର ଘୋଷଣା କରିଥିବା ବେଳେ ଆଜି ଏହାକୁ ବାତିଲ କରିଦିଆଯାଇଛି । ଆଜିର ତାରିଖକୁ ବାତିଲ କରି ଖୁବ ଶୀଘ୍ର ସ୍ଲଟ ବୁକିଂର ଆଗାମୀ ତାରିଖ ପ୍ରକାଶ ପାଇବ ବୋଲି ପରିବହନ କମିସନରଙ୍କ ଅଫିସ ତରଫରୁ ସୂଚନା ଦିଆଯାଇଛି ।

ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସର ବୈଧତା ୧୮.୦୩.୨୦୨୦ ରୁ ୩୦.୦୯.୨୦୨୦ ମଧ୍ୟରେ ଶେଷ ହେଉଛି, ସେମାନଙ୍କର ଲର୍ଣ୍ଣିଂ ଲାଇସେନ୍ସର ବୈଧତା ୩୦.୦୯.୨୦୨୦ ପର୍ଯ୍ୟନ୍ତ କାଏମ ରହିବ । ଯଦି କେହି ଆଜି ଟଙ୍କା ଦେଇ ସ୍ଲଟ ବୁକିଂ କରିଛନ୍ତି, ତେବେ ତାହା ପରବର୍ତ୍ତୀ ସ୍ଲଟ ବୁକିଂ ତାରିଖ ବାହାରିବା ପର୍ଯ୍ୟନ୍ତ ବୈଧ ରହିବ । ଏହା ସହ ସ୍ଲଟ ବୁକିଂ ବାତିଲ ସମ୍ପର୍କିତ କୌଣସି ପ୍ରକାରର ସୂଚନା ନେବା ପାଇଁ ଆରଟିଓ ନ ଆସିବାକୁ ବିଭାଗର ପରାମର୍ଶ ଦେଇଛି।

ସୂଚନା ମୁତାବକ, କରୋନା ଭାଇରସ୍‌ ପାଇଁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ପୁଣି ଥରେ ଆରମ୍ଭ ହେବ ବୋଲି ସୂଚନା ଦେଇଥିଲା ପରିବହନ ବିଭାଗ। ଆସନ୍ତା ୧୮ ତାରିଖରୁ ଡିଏଲ୍‌ ଟେଷ୍ଟ ହେବାକୁ ଥିବା ବେଳେ ୨୯ ତାରିଖରୁ ଏଲ୍‌ଏଲ୍‌ ଟେଷ୍ଟ ହେବା ନେଇ ପରିବହନ କମିସନର ସଂଜୀବ ପଣ୍ଡା ସୂଚନା ଦେଇଥିଲେ।