ବୌଦ୍ଧ ମହୋତ୍ସବ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ୧୧୪ କୋଟି ଟଙ୍କାର ୨୭ଟି ପ୍ରକଳ୍ପର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଭିଡିଓ କନଫରେନସିଂ ଜରିଆରେ ବୌଦ୍ଧ ମହୋତ୍ସବ ଉଦଘାଟନ କରିଛନ୍ତି । ଏହି ମହୋତ୍ସବ ଜିଲ୍ଲା ତଥା ରାଜ୍ୟରେ କଳାର ପ୍ରସାରରେ ସଫଳ ହେବା ସହିତ କଳାକାରମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ନୂଆବର୍ଷ ଅବସରରେ ଜିଲ୍ଲାବାସୀମାନଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ ବୌଦ୍ଧ ଜିଲ୍ଲା ପାଇଁ ୨୬ଟି ଭିତିଭୂମି ପ୍ରକଳ୍ପର ଉଦଘାଟନ ଓ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମସ୍ତ ପ୍ରକଳ୍ପର ମୂଲ୍ୟ ୧୧୪କୋଟି ଟଙ୍କା ।

ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟରେ ରହିଛି: ବୌଦ୍ଧ ସହରର ପାନୀୟ ଜଳ ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭିତିପ୍ରସ୍ତର ସ୍ଥାପନ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିର୍ମାଣ ପାଇଁ ୬୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି କାମ ଠିକ୍ ସମୟରେ ଶେଷ ହେବା ସହିତ ଜନସାଧାରଣଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଆଗି ଆରମ୍ଭ ହୋଇଥିବା ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟରେ ରହିଛି: ସଡ଼କ ପ୍ରକଳ୍ପ, ସ୍ପୋର୍ଟସ କମ୍ପେଲକ୍ସ, ଛାତ୍ରୀ ନିବାସ ଏବଂ ଆହୁରି ଅନେକ ପ୍ରକଳ୍ପ । ଏହିସବୁ ପ୍ରକଳ୍ପ ଗୁଡିକ ବୌଦ୍ଧ ଜିଲ୍ଲାରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ପଂଚାୟତିରାଜ ଓ ପାନୀୟ ଜଳ ତଥା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ବୌଦ୍ଧ ବିଧାୟକ ଶ୍ରୀ ପ୍ରଦୀପ କୁମାର ଅମାତ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା, ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ବୌଦ୍ଧ ଜିଲ୍ଲାପାଳ ଉପସ୍ଥିତ ଥିଲେ । ବୌଦ୍ଧ ଜିଲ୍ଲାର କଳାକାରମାନେ ପ୍ରସ୍ତୁତ କରିଥିବା ମାଟିର ଏକ ବୁଦ୍ଧ ମୂର୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।