ପ୍ଲେ ସ୍କୁଲ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି

ଚଳିତ ଶିକ୍ଷାବର୍ଷ ପାଇଁ ପ୍ଲେ ସ୍କୁଲ ଓ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ଚଳିତ ନିର୍ଦ୍ଦେଶନାମା ଅନୁଯାଇ ୨୦୦୯ ଶିକ୍ଷା ଅଧିକାର ଆଇନ (RTE) ବଳରେ ୩ବର୍ଷ ବୟସର ପିଲାମାନେ ଯେକୌଣସି ଘରୋଇ ପ୍ଲେ ସ୍କୁଲ ଏବଂ ପାଞ୍ଚ ବର୍ଷ ବୟସରୁ ଊର୍ଦ୍ଧ୍ବ ପିଲାମାନେ ପ୍ରଥମ ଶ୍ରେଣୀରେ ମାଗଣାରେ ନାମଲେଖାଇ ପାରିବେ।

ପ୍ରତ୍ୟେକ ପିଲାଙ୍କ ବୟସ ପ୍ଲେ ସ୍କୁଲ ପାଇଁ ମାର୍ଚ୍ଚ ୩୧ ସୁଦ୍ଧା ୩ରୁ ୫ବର୍ଷ ଓ ପ୍ରଥମ ଶ୍ରେଣୀ ପାଇଁ ୫ରୁ ୭ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ l ଏହା ସହିତ ଆର୍ଥିକ ଅନଗ୍ରସର କ୍ଷେତ୍ରରେ ମଧ୍ୟ ଅଭିଭାବକମାନଙ୍କ ପାଇଁ ଯୋଗ୍ୟତାରେ ବାର୍ଷିକ ଆୟ ସର୍ବାଧିକ ୧ଲକ୍ଷ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଥିବା ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି ।

ଶିକ୍ଷା ଅଧିକାର ଆଇନ (RTE) ଅନୁଯାଇ ଘରୋଇ ସ୍କୁଲରେ ୨୫% ସିଟରେ ଅବହେଳିତ ଶ୍ରେଣୀର ପିଲାଙ୍କୁ ମାଗଣା ପାଠ ପଢ଼ିବାର ବ୍ୟବସ୍ଥା କରିବାକୁ ନିର୍ଦେଶ ଦିଆଯାଇଛି । ୨୦୦୯ରୁ ଏହି ବ୍ୟବସ୍ଥା ରହିଥିବା ବେଳେ ତାହା କାର୍ଯ୍ୟକାରୀ ହେଉ ନଥିଲା । ଗତବର୍ଷ ରାଜ୍ୟ ସରକାରଙ୍କ RTE ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ଏହି ସିଟରେ ଆଡ଼ମିସନ ଆରମ୍ଭ ହୋଇଥିଲା ।

ହେଲେ ପ୍ରଚାର ପ୍ରସାର ଓ ସଚେତନତା ଅଭାବ ଯୋଗୁଁ ମାତ୍ର ପାଞ୍ଚ ହଜାର ପିଲା ନାମ ଲେଖାଇଥିଲେ l ଅତି କମରେ ଏହି ସ୍କିମରେ 67ହଜାର ପିଲା ମାଗଣାରେ ପାଠ ପଢିବାର ବ୍ୟବସ୍ଥା ରହିଛି । ଅନ୍ୟପଟେ ଅଭିଭାବକ ମହାସଂଘ ସରକାରଙ୍କୁ ଧନ୍ୟବାଦ ଜଣାଇଛି । ନିର୍ଦ୍ଦେଶର ସଠିକ କାର୍ଯ୍ୟକାରୀ ହେଲେ ପିଲା ଭଲ ପାଠ ପଢିବା ସହିତ ଉତ୍ତମ ଶିକ୍ଷା ପ୍ରାପ୍ତି କରି ଭବିଷ୍ୟତ ଗଢି ପାରିବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।