ନୂଆ ଶତାବ୍ଦୀରେ ଓଡ଼ିଶାରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି

ଆଉ ୧୪ ବର୍ଷ ପରେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବ। ଖୁସିର କଥା ସାରା ଓଡ଼ିଶା ଆଜି ଏକ ମନ, ଏକ ପ୍ରାଣ ହୋଇ ଗୋଟିଏ ଲକ୍ଷ୍ୟରେ ଆଗକୁ ଯିବା ପାଇଁ ନିଷ୍ପତ୍ତି ନେଇଛି। ଆଜି ସାରା ଓଡ଼ିଶାର ସ୍ବର ଦୃଢ଼ ହୋଇଛି। ମୋର ପୂରା ବିଶ୍ବାସ ଯେ, ୨୦୩୬ ମସିହାରେ ଓଡ଼ିଶା ସ୍ବତନ୍ତ୍ର ରାଜ୍ୟ ଭାବରେ ସାରା ଦେଶକୁ ମାର୍ଗ ଦର୍ଶନ କରିବ।

ଓଡ଼ିଶା ଦିବସ ଅବସରରେ ରାଜ୍ୟବାସୀଙ୍କୁ ସମ୍ବୋଧିକ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଆପଣମାନେ ଜାଣନ୍ତି ନୂଆ ଶତାବ୍ଦୀରେ ଓଡ଼ିଶାରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି। ଏଯୁଗ ବିକାଶର ଯୁଗ। ଏଯୁଗ କଲ୍ୟାଣର ଯୁଗ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆମର ୫ଟି ଗଭରମେଣ୍ଟ ମଡେଲ ସାରା ଦେଶରେ ଆଦର୍ଶ ସୃଷ୍ଟି କରିଛି। ପ୍ରାକୃତିକ ବିପର୍ଯ୍ୟୟ ଠାରୁ କୋଭିଡ-୧୯ ମହାମାରୀ ପର୍ଯ୍ୟନ୍ତ ଲୋକଙ୍କର ଜୀବନ ରକ୍ଷା କରିବାରେ ଓଡ଼ିଶା ଦେଶ ପାଇଁ ଆଜି ମଡେଲ ହୋଇଛି। ଗାନ୍ଧିଜୀଙ୍କ ପରାମର୍ଶ ଆମ ଶାସନର ମୂଳମନ୍ତ୍ର। ସବୁଠାରୁ ଗରିବ ଲୋକଙ୍କୁ ସେବା ଯୋଗାଇବା ଆମ କାର୍ଯ୍ୟକ୍ରମର ଲକ୍ଷ୍ୟ। ଗରିବ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇବାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ସାରା ଦେଶ ପାଇଁ ମଡେଲ ହୋଇଛି। ମା’ ମାନଙ୍କୁ ସେମାନଙ୍କର ଅଧିକାର ଦେବାରେ ଆମେ ସଫଳ ହୋଇଛୁ। ଆଜି ସାରା ଦେଶର ମା’ ମାନଙ୍କୁ ରାଜନୈତିକ ଦାୟିତ୍ବ ଦେବା ପାଇଁ ସ୍ବର ଉଠିଛି। କିନ୍ତୁ ଆମେ ଏହା କରିକି ଦେଇଛୁ ଯେ, ଗରିବି କମିଛି। ବେକାରି କମ କରିବାରେ ଓଡ଼ିଶା ଆଜି ସମଗ୍ର ଦେଶରେ ସବୁଠାରୁ ଭଲ କାମ କରୁଛି। ଏଥି ସହିତ ସମସ୍ତଙ୍କୁ ନଳ ଓ ପାଇପ୍‌ ପାଣି ଯୋଗାଇବା ପାଇଁ କାମ ଚାଲିଛି।

କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇବାରେ ଓଡ଼ିଶା ସାରା ଓଡ଼ିଶାରେ ସୁନାମ ଅର୍ଜନ କରିଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ହୋଇପାରିଛି। ଆଜି ଓଡ଼ିଶାର ପୁଅ-ଝିଅମାନଙ୍କ ମଧ୍ୟରେ ଆତ୍ମ ବିଶ୍ବାସ ସୃଷ୍ଟି ହୋଇଛି। ନିଜ ଓ ନିଜ ପରିବାର ତଥା ରାଜ୍ୟର ଗୌରବ ବଢ଼ାଇବା ପାଇଁ ସେମାନେ ଉଦ୍ୟମ ଜାରି ରଖିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡ଼ିଆ ପୁଅ-ଝିଅମାନେ ସୁନାମ ଆଣୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଓଡ଼ିଶା ଦିବସ। ଏହି ଶୁଭ ଅଭସରରେ ରାଜ୍ୟ ତଥା ସାରା ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ଓଡ଼ିଆ ଭାଇ ଭଉଣୀମାନଙ୍କୁ ଶୁଭେଛା ଜଣାଇଛି। ଉତ୍କଳ ଗୌରମ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଖଲିକୋଟ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେରଙ୍କ ବହି ବରପୁତ୍ରମାନଙ୍କ ତ୍ୟାଗ, ସଂଗ୍ରାମ ଯୋଗୁଁ ସ୍ବତନ୍ତ୍ର ଓଡ଼ିଶାର ସ୍ବପ୍ନ ସାକାର ହୋଇପାରିଥିଲା। ଏହି ଅବସରରେ ମୁଁ ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଓଡ଼ିଆ ଭାଷା, ସାହିତ୍ୟ, ସଂଗୀତ, କଳାକୁ ଯେଉଁମାନେ ସମୃଦ୍ଧ କରି ଯାଇଛନ୍ତି, ସେମାନଙ୍କ ପ୍ରତି ମୋର ସମ୍ମାନ ଜଣାଉଛି।