ଟେକ୍ନୋଲୋଜିର ସହାୟତା ନେଇ ଏବେଠାରୁ ଅଲିମ୍ପିକ୍ସରେ ପଦକ ଜିତିବାକୁ ପ୍ରସ୍ତୁତ ହୁଅ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଏବେଠାରୁ ଅଲିମ୍ପିକ୍ସରେ ପଦକ ଜିତିବାକୁ ପରିଶ୍ରମ କର । ଏସିଆନ ଗେମ୍ସରୁ ଯେଉଁ ସମ୍ମାନ ଏବଂ ଗୌରବ ମିଳିଛି ତାହାକୁ ହାତଛଡ଼ା କରିବାକୁ ଦିଅନାହିଁ । ନିଜର ପ୍ରଦର୍ଶନ ଏବଂ ଦକ୍ଷତା ବଳରେ ଅଲିମ୍ପିକ୍ସରେ ପଦକ ଜିତି ଦେଶର ଗୌରବ ବଢାଇବା ଲାଗି ଏସିଆନ ଗେମ୍ସ ପଦକ ବିଜେତାଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ପଦକ ବିଜେତାଙ୍କୁ ନିଜ ବାସଭବନରେ ସମ୍ବର୍ଦ୍ଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଲେ, ଏହି ପଦକରେ ଆଥଲେଟମାନେ ପାଇଥିବା ଖ୍ୟାତି ଏବଂ ଲୋକପ୍ରିୟତାରେ ନିଜର ଫୋକସ ନହରାନ୍ତୁ । ଅଲିମ୍ପିକ୍ସ ଲାଗି କଠିନ ପରିଶ୍ରମ କରନ୍ତୁ ଏବଂ ସରକାର ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ଶ୍ରୀ ମୋଦି କହିଛନ୍ତି ।

ସୂଚନାଯୋଗ୍ୟ ଜାକର୍ତ୍ତା-ପାଲେମ୍ବାଙ୍ଗ ଏସିଆନ ଗେମ୍ସରେ ଭାରତ ସର୍ବାଧିକ ୬୯ଟି ପଦକ ଜିତି ୧୯୫୧ରେ ଜିତିଥିବା ୬୫ ପଦକ ବିଜୟକୁ ଅତିକ୍ରମ କରିଥିଲା । ଏହି ସଫଳତା ଲାଗି ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାସହ ଚଳିତ ଏସିଆନ ଗେମ୍ସରେ ଯୁବ ପ୍ରତିଭା ଏବଂ ଛୋଟିଆ ସହରର ପ୍ରତିଯୋଗୀମାନେ ସଫଳତା ପାଇଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ । ପ୍ରତିଯୋଗୀମାନେ ନିଜ ପ୍ରଦର୍ଶନ ଏବଂ ଦକ୍ଷତାରେ ଉନ୍ନତି ଆଣିବା ଲାଗି ଟେକ୍ନୋଲୋଜିର ସହାୟତା ନେବାକୁ କହିଥିଲେ । ଏହା ଫଳରେ ନିଜର ତ୍ରୁଟିକୁ ସଂଶୋଧନ କରିହେବ ଏବଂ ଅଧିକ ସଫଳତା ମିଳିବ ବୋଲି ସେ କହିଥିଲେ । ସେହିପରି କେତେକ ଗରିବ ଏବଂ ଅସୁବିଧାରେ ଥିବା ପଦକ ବିଜେତାଙ୍କ ନାମ ନେଇ ସେ କହିଲେ, ସେମାନେ ଯେଉଁ ପରିସ୍ଥିତିରେ ଦେଶର ଗୌରବ ବଢାଇଛନ୍ତି ତାହା ପ୍ରଶଂସାଯୋଗ୍ୟ । ଏଥିଲାଗି

ମୁଁ ସେମାନଙ୍କୁ ବ୍ୟକ୍ତିଗତଭାବେ ଧନ୍ୟବାଦ ଜଣାଉଛି ।

 

ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଲେ, ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଏବଂ ଦୂରଦୃଷ୍ଟି ଯୋଗୁଁ ଭାରତ ଅଧିକ ସଂଖ୍ୟାରେ ପଦକ ଜିତିବାରେ ସମର୍ଥ ହୋଇଛି । ଏହି ମହତ୍ତ୍ୱାକାଂକ୍ଷୀ ଯୋଜନା ଯୋଗୁଁ ଯୁବପ୍ରତିଭାମାନେ ଖେଳ ପ୍ରତି ଆକୃଷ୍ଟ ହୋଇଛନ୍ତି ଏବଂ ତାହା ସେମାନଙ୍କ ପଦକ ବିଜୟରୁ ସ୍ପଷ୍ଟ ହୋଇଛି । ସରକାରଙ୍କ ଏପରି ପ୍ରଚେଷ୍ଟାକୁ ମଧ୍ୟ କ୍ରୀଡ଼ାବିତମାନେ ସ୍ୱାଗତ କରିଥିଲେ । ଅଲିମ୍ପିକ୍ସ ଲାଗି ଏବେଠାରୁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି ବୋଲି ସେମାନେ ମତ ଦେଇଥିଲେ । ଅଲିମ୍ପିକ୍ସରେ ପଦକ ଜିତିବାକୁ ସେମାନେ ସମସ୍ତ ପ୍ରକାର ଉଦ୍ୟମ କରିବେ ବୋଲି କ୍ରୀଡ଼ାବିତ୍ମାନେ ପ୍ରକାଶ କରିଛନ୍ତି ।