ଜାନୁଆରି ମାସ ପାଇଁ ଗାଇଡଲାଇନ୍‌ : ସାରା ରାଜ୍ୟରେ ଜିରୋ ନାଇଟ୍‌ ପାଳନ ମନା

ସର୍ବସାଧାରଣ ସ୍ଥାନରେ ଗହଳି ଉପରେ କଟକଣା

ଭୁବନେଶ୍ୱର: ନୂଆବର୍ଷ  ଦିନକ ପୂର୍ବରୁ ରାଜ୍ୟ ସରକାର ଜାନୁଆରି ମାସ ପାଇଁ ଗାଇଡଲାଇନ୍‌ ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ସାରା ରାଜ୍ୟରେ ଏଥର ଜିରୋ ନାଇଟ୍‌ ପାଳନ ଉପରେ କଟକଣା ଜାରି କରାଯାଇଛି। ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନର ସଂକ୍ରମଣକୁ ରୋକିବା ଲାଗି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି।

ଡିସେମ୍ବର ୩୧ ଓ ଜାନୁଆରି ୧ ତାରିଖରେ ସର୍ବସାଧାରଣ ସ୍ଥଳରେ ଲୋକଙ୍କର ଭିଡ଼ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, ପାର୍କରେ ମଧ୍ୟ ଜନସମାଗମକୁ ମନା କରାଯାଇଛି। କନ୍‌ଭେନ୍‌ସନ ହଲ ଓ କଲ୍ୟାଣ ମଣ୍ଡପରେ ମଧ୍ୟ ଲୋକଙ୍କର ଗହଳି ହୋଇପାରିବ ନାହିଁ ବୋଲି ଏହି ନିର୍ଦ୍ଦେଶନାମାରେ କୁହାଯାଇଛି। ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ୍‌ ଅନୁସାରେ ଜାନୁଆରିରେ ସିନେମା ହଲ୍‌, ଥିଏଟର୍‌ ଖୋଲିବାକୁ ଅନୁମତି ମିଳିବ। କିନ୍ତୁ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ୍‌ ଖୋଲାଯାଇପାରିବ। ସେହିପରି ଯାତ୍ରା, ମୁକ୍ତାକାଶ ରଂଗମଂଚ ଖୋଲିବା ପାଇଁ ସ୍ଥାନୀୟ ପ୍ରଶାସନର ଅନୁମତି ନେବାକୁ ପଡ଼ିବ। କୋଭିଡ୍‌ ଗାଇଡଲାଇନ୍‌ ଅନୁସାରେ ସମସ୍ତ ଅନୁଷ୍ଠାନ ଖୋଲାଯାଇପାରିବ। ସେହିପରି ଜାନୁଆରି ୩୧ ଯାଏଁ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବା ସହ ଅନ୍ତର୍ଜାତୀୟ ବିମାନ ଉଡାଣ ମଧ୍ୟ ବନ୍ଦ ରହିବ। ସର୍ବାଧିକ ୨ ଶହ ଲୋକଙ୍କୁ ନେଇ ସାମାଜିକ, ଧାର୍ମିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ।